ସ୍ବାଭିମାନ ଅଂଚଳରେ ନକ୍ସଲକୁ ଭୟ ନକରି ପ୍ରାର୍ଥୀ ପତ୍ର ଦାଖଲ କଲେ ପ୍ରାର୍ଥୀ, କଡା ସୁରକ୍ଷାରେ ନିର୍ବାଚନ ହେବ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଅତି ସମ୍ବେଦନଶୀଳ ଅଂଚଳ ଭାବେ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତ।ଗତ ପଞ୍ଚାୟତ ନିର୍ବାଚନରେ ସରକାର କିମ୍ବା ପ୍ରଶାସନ ଏଠାରେ ନିର୍ବାଚନ କରାଇପାରିନଥିଲେ।ଯାହାଫଳରେ ଦୀର୍ଘ ବର୍ଷ ଧରି ଏଠାରେ କୌଣସି ଲୋକ ପ୍ରତିନିଧି ନଥିଲେ।ଗୁରୁପ୍ରିୟା ସେତୁ ହେବା ପରେ ସ୍ବାଭିମାନ ଅଂଚଳରେ ସୁରକ୍ଷାକର୍ମୀ ପହଞ୍ଚିବା ଏବଂ ପୁଲିସର ଘନ ଘନ ଚଢାଉରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ।ନକ୍ସଲ ହଟିବା ପରେ ଏଠାରେ ବିକାଶ କାର୍ଯ୍ୟ ତ୍ବାରାନ୍ବିତ ହେଲା।ଏବେ କଡା ସୁରକ୍ଷାରେ ଚିତ୍ରକୋଣ୍ଡା ବ୍ଲକର ସମସ୍ତ ପଞ୍ଚାୟତରେ ନିର୍ବାଚନ ହେବ।ତେବେ ଗତ ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ୫ ଦିନ ଧରି ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ ଆଜି ଶେଷ ଦିନରେ ମଧ୍ୟ ଖାଲି ଥିବା ସମସ୍ତ ପଦ ପାଇଁ ନାମାଙ୍କନ ପକାଯାଇଥିଲା।

ତେବେ ମୋଟରେ ଦେଖିଲେ ଅଣ୍ଡ୍ରାପାଲୀ ପଞ୍ଚାୟତରେ ସରପଞ୍ଚ ପାଇଁ ୪ ଜଣ, ସମିତି ସଭ୍ୟ ପାଇଁ ୩ ଜଣ, ବଡପଡା ପଞ୍ଚାୟତରେ ସରପଞ୍ଚ ପାଇଁ ୩ ଜଣ, ସମିତି ସଭ୍ୟ ପାଇଁ ୪ ଜଣ, ବଡପଦର ପଞ୍ଚାୟତରେ ୨ ଜଣ ସରପଞ୍ଚ ଏବଂ ୨ ଜଣ ସମିତି ସଭ୍ୟ, ଚିତ୍ରକୋଣ୍ଡା ପଞ୍ଚାୟତ ପାଇଁ ୩ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ, ଧୁଳିପୁଟ ପଞ୍ଚାୟତରେ ୨ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ, ଦୋରାଗୁଡା ପଞ୍ଚାୟତରେ ୫ ଜଣ ସରପଞ୍ଚ, ୨ ଜଣସମିତି ସଭ୍ୟ, ଗାଜଲମାମୁଡି ପଞ୍ଚାୟତରେ ୪ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ, ଗୁଣ୍ଠାଵାଡା ପଞ୍ଚାୟତରେ ୩ ଜଣ ସରପଞ୍ଚ ଏବଂ ୩ ଜଣ ସମିତି ସଭ୍ୟ, ଯନ୍ତ୍ରୀ ପଞ୍ଚାୟତରେ ୨ ସରପଞ୍ଚ ଏବଂ ୨ ସମିତି ସଭ୍ୟ, ଯଡାମ୍ବ ପଞ୍ଚାୟତ ପାଇଁ ୫ ଜଣ ସରପଞ୍ଚ, ୨ ଜଣ ସମିତି ସଭ୍ୟ, କୋପାତୁଟି ପଞ୍ଚାୟତ ପାଇଁ ୩ ଜଣ ସରପଞ୍ଚ, ଜଣେ ସମିତି ସଭ୍ୟ, କୁରମାନୁର ପଞ୍ଚାୟତ ପାଇଁ ୫ ଜଣ ସରପଞ୍ଚ, ଜଣେ ସମିତି ସଭ୍ୟ,ନୂଆଗୁଡା ପଞ୍ଚାୟତ ପାଇଁ ୪ ଜଣ ସରପଞ୍ଚ, ୪ ଜଣ ସମିତି ସଭ୍ୟ, ପଣସପୁଟ ପଞ୍ଚାୟତ ପାଇଁ ୪ ଜଣ ସରପଞ୍ଚ,୨ ଜଣ ସମିତି ସଭ୍ୟ, ପେପରମେଟଲା ପଞ୍ଚାୟତ ପାଇଁ ୮ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ, ପାପଲୁର ପଞ୍ଚାୟତ ପାଇଁ ୨ ଜଣ ସରପଞ୍ଚ, ୨ ଜଣ ସମିତିସଭ୍ୟ, ରାଲଗେଡା ପଞ୍ଚାୟତରେ ୨ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ, ଟନେଲକ୍ୟାମ୍ପ ପଞ୍ଚାୟତରେ ୨ ଜଣ ସରପଞ୍ଚ, ୨ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ୨୨୨ଟି ଵାର୍ଡ ରହିଥିବା ବେଳେ ୩୩ଟି ଵାର୍ଡରେ କେହି ମଧ୍ୟ ଜଣେ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣାପଡିଛି।

ତେବେ ଚିତ୍ରକୋଣ୍ଡାରେ ମୋଟରେ ସରପଞ୍ଚ ପାଇଁ ୬୩ ଜଣ, ସମିତି ସଭ୍ୟ ପାଇଁ ୪୯ ଜଣ, ୫ ଜଣ ଜିଲ୍ଲା ପରିଷଦ ସଭ୍ୟ ଏବଂ ଵାର୍ଡ ମେମ୍ବର ପାଇଁ ୨୧୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବିଡିଓ ପ୍ରକାଶ କରିଛନ୍ତି। ତେବେ ସ୍ବାଭିମାନ ଅଂଚଳରେ ରହିଥିବା ୯ଟି ଯାକ ପଞ୍ଚାୟତରେ ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ ପ୍ରାର୍ଥୀ ପତ୍ର ନକ୍ସଲକୁ ନଡରି ଦାଖଲ କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଆଗାମୀ ଦିନ ପାଇଁ ଶୁଭଙ୍କର ବୋଲି କୁହାଯାଇଛି।ଏଥିପାଇଁ ପୁଲିସ ଏବଂ ପ୍ରଶାସନକୁ ଲୋକେ ଧନ୍ୟବାଦ ଦେଇଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଲୋକେ ନିଜର ମନପସନ୍ଦର ପ୍ରାର୍ଥୀକୁ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଖୁସି ଜାହିର କରିଛନ୍ତି।

ସମ୍ବନ୍ଧିତ ଖବର