୨ ପରିତ୍ୟକ୍ତ ଶିଶୁ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲାର ୨ଟି ଜାଗାରେ ୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୨ ଶିଶୁ ହେଉଛନ୍ତି ଅଲୋଡ଼ା। ଜନ୍ମକଲା ବାପାମା’ ସେମାନଙ୍କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। କେଉଁ କାରଣ ପାଇଁ ଏମିତି କୋଳଛେଉଣ୍ଡ କରିଛନ୍ତି, ତାହା ଜଣାପଡ଼ିନାହିଁ। ଏହିଭଳି ଶିଶୁମାନଙ୍କ ଭାଗ୍ୟ, ଭବିଷ୍ୟତ କିଭଳି ଅନ୍ଧାର ଘେରକୁ ଚାଲିଆସୁଛି, ଏହି ଦୁଇଟି ଘଟଣା ତାହାର ଏକ ନମୁନା ପାଲଟିଛି।

ଉଦ୍ଧାର ହୋଇଥିବା ଦୁଇ ଶିଶୁଙ୍କ ବୟସ ଦେଢବର୍ଷ। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ପୁଅ, ଆଉ ଜଣେ ହେଉଛି ଝିଅ। ପୁଅଟିକୁ କୋରେଇ ବ୍ଲକ୍‌ ଅନ୍ତର୍ଗତ ପାଟୁଳି ଓଭର ବ୍ରିଜ ନିକଟରୁ ଉଦ୍ଧାର କରାଯାଇଛି। ସେଠାକାର ଏକ ପରିତ୍ୟକ୍ତ ଜାଗାରେ ଶିଶୁଟି ବସିଥିବାବେଳେ ୨ଟି କୁକୁର ତାକୁ ଜଗି ରହିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଗୀତା ନାମ୍ନୀ ଜଣେ ଜରି ଗୋଟାଳି ମହିଳା ତାକୁ ଉଦ୍ଧାର କରିଥିଲା। ସେ ପିଲାଟିକୁ ଆଣି ପାଟୁଳି ଗ୍ରାମକୁ ଆସିଥିଲା। କେହି ତା’ ସମ୍ପର୍କରେ କହି ପାରିନଥିଲେ। ଭୋର୍‌ରୁ ଦିନ ୧୧ଟା ପର୍ଯ୍ୟନ୍ତ ସେ ଅପେକ୍ଷା କରିଥିଲେ। ମାତ୍ର, ତାକୁ ନେବା ପାଇଁ କେହି ଆସିନଥିଲେ। ଶେଷରେ, ସ୍ଥାନୀୟ ଲୋକମାନେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଖବର ଦେଇଥିଲେ।

ଶିଶୁ ସୁରକ୍ଷା ବିଭାଗର ତପନ କୁମାର ପଣ୍ଡା, କାଳି ପ୍ରସାଦ ସାହୁ , ମିହିର ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଁଚି ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ। ଏହାପରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ। ଶିଶୁ ମଙ୍ଗଳ କମିଟି ପକ୍ଷରୁ ଶିଶୁଟିକୁ କଟକସ୍ଥିତ ବସୁନ୍ଧରା ଠାରେ ଥିବା ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି। ଏବେ ପିଲାର ପ୍ରକୃତ ତଥ୍ୟ ପାଇବା ପାଇଁ ବିଭାଗ ପକ୍ଷରୁ ଅନୁସଂଧାନ କରାଯାଉଛି। ପ୍ରକୃତ ଘଟଣା ଜଣାପଡ଼ିବା ପରେ କିଶୋର ନ୍ୟାୟ ଆଇନ୍‌ ଅନୁଯାୟୀ ଆଗାମୀ କାର୍ଯ୍ୟପନ୍ଥା ହାତକୁ ନିଆଯିବ ବୋଲି ଶିଶୁ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟ ଜଣେ ଶିଶୁକୁ ସୁକିନ୍ଦା ବ୍ଲକ୍‌ ପିମ୍ପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ନୂଆଡିହ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ପ୍ରାଙ୍ଗଣରୁ ଉଦ୍ଧାର କରାଯାଇଛି। ଆଜି ଭୋର୍‌ ୫ଟା ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ପିଲାଟିର କାନ୍ଦ ଶୁଣିବାକୁ ମିଳିଥିଲା। ଏହି ପିଲିଟି କିଏ ଏବଂ ଏଠାକୁ କିଭଳି ଆସିଲା ସେ ସମ୍ପର୍କରେ ଗ୍ରାମବାସୀମାନେ ଜାଣିପାରିନଥିଲେ। ସ୍ଥାନୀୟ ଗ୍ରାମର ଦୀନେଶ ନାୟକ ପିଲାଟିକୁ ନିଜ ହେପାାଜତକୁ ନେବା ସହିତ ପୁଲିସ୍‌ ଓ ଶିଶୁ ସୁରକ୍ଷା ୟୁନିଟ୍‌କୁ ସୂଚନା ଦେଇଥିଲେ। ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଶିଶୁ ସୁରକ୍ଷା ୟୁନିଟ୍‌ କିମ୍ବା ସୁକିନ୍ଦା ପୁଲିସ୍‌ ପହଞ୍ଚି ନଥିଲେ । ଫଳରେ, ଗ୍ରାମବାସୀଙ୍କ ସହାୟତାରେ ସେ ସୁକିନ୍ଦା ପୁଲିସ୍‌କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଶିଶୁଟି ମିଳିଥିବା ସ୍ଥାନରୁ ଲୁଗାପଟା ଥିବା ଏକ ଜରିବ୍ୟାଗ୍‌ ମିଳିଛି। ଦୁଇ ଶିଶୁଙ୍କୁ ସେମାନଙ୍କ ବାପାମ’ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି। ଉଭୟ ଘଟଣା ଲୋକମାନଙ୍କ ମନରେ ଗଭୀର ରେଖାପାତ କରିଛି।

ସମ୍ବନ୍ଧିତ ଖବର