ଲୋଇସିଂହା, ୧୧ା୧ (ଇମିସ): ବଲାଙ୍ଗୀର ଜିଲ୍ଲା ଲୋଇସିଂହାଠାରୁ ପ୍ରାୟ ୩ କିମି ଦୂର ବୁର୍ଡା ଛକଠାରେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ବୁଧବାର ଟ୍ରକ୍ ଓ ସ୍ପର୍ପିଓ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ସ୍କର୍ପିଓ ଚାଳକ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଚଟୁଅନକା ଗାଁର କପୁରଚନ୍ଦ ପୁଞ୍ଜି (୫୮ବର୍ଷ) ଓ ଯାତ୍ରୀ କର୍ଲାଖମା ଗାଁର ଧର୍ମଲାଲ ଭୋଇ (୫୭ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଯାତ୍ରୀ ବିଷ୍ଣୁ ପ୍ରସାଦ ଯୁଏଡ଼, ପୁରୁଷୋତ୍ତମ ଟାହାଣୀ ଓ ଗୌରୀ ପୁଞ୍ଜି ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଚଟୁଅନକା ଗ୍ରାମ ଝୁପୁଡ଼ିପଡ଼ାର କପୁରଚନ୍ଦ ପୁଞ୍ଜିଙ୍କ ପୁଅ ବାହାଘର ଆସନ୍ତା ମାର୍ଚ୍ଚ ମାସରେ ସ୍ଥିର ହୋଇଛି। ବାହାଘର ଓ ପିନ୍ଧାଣି ପାଇଁ ଆବଶ୍ୟକ ଶାଢ଼ି କିଣିବାକୁ ମଙ୍ଗଳବାର ରାତିରେ ଶ୍ରୀ ପୁଞ୍ଜି ଜଣେ ସଂପର୍କୀୟ ଓ ୩ ଜଣ ବନ୍ଧୁଙ୍କ ସହ ସ୍କର୍ପିଓ ଗାଡ଼ି (ଓଡି ୦୩ ଭି ୬୧୮୨)ରେ ବରପାଲି ନିକଟସ୍ଥ ବାଲିଯୁରୀ ଶାଢ଼ି ବଜାରକୁ ଯାଇଥିଲେ। ଶାଢ଼ି କିଣି ସାରିବା ପରେ ଭୋର୍ରେ ସେଠାରୁ ବାହାରି ଘରକୁ ଫେରୁଥିଲେ। ବୁର୍ଡା ଛକ ନିକଟରେ ପୂର୍ବରୁ ଅଟକି ରହିଥିବା ଟ୍ରକ୍ (ଏପି ୩୦-୯୧୧୯) ସହ ସ୍କର୍ପିଓ ସାମନା ପଟରୁ ଜୋର୍ରେ ଧକ୍କା ହୋଇଥିଲା। ଗାଡ଼ି ଚାଳକ କପୁରଚନ୍ଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୂଚନା ପାଇ ଲୋଇସିଂହା ଥାନାଧିକାରୀ ବାମଦେବ ଶଙ୍ଖୁଆଳଙ୍କ ନେତୃତ୍ବରେ ପୁଲିସ ଟିମ୍ ସେଠାରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଲୋଇସିଂହା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଯାଇଥିଲା। ସେଠାରେ ଧର୍ମଲାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।