ସମ୍ବଲପୁର : ମରିନାହିଁ ମଣିଷ ପଣିଆ। ବିଧାୟକଙ୍କ ମଣିଷପଣିଆକୁ ନେଇ ଚର୍ଚ୍ଚା। ଅନ୍ଧବିଶ୍ୱାସର ବଶବର୍ତି ହୋଇ ଶବକୁ କାନ୍ଧ ନଦେବା ଘଟଣାର ନଜିର ରହିଥିବା ବେଳେ ଆଜି ଜଣେ ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଇଛନ୍ତି ରେଙ୍ଗାଲି ବିଧାୟକ ରମେଶ ପଟୁଆ। ନିଜ ପରିବାର ସଦସ୍ୟଙ୍କ ସହ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଇ ବୈଦିକ ରୀତିରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।

Advertisment

ଜଣେ ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଇଛନ୍ତି ରେଙ୍ଗାଲି ବିଧାୟକ ରମେଶ ପଟୁଆ। କେବଳ ସେ ନୁହନ୍ତି, ତାଙ୍କ ପୁଅ ମଧ୍ୟ କାନ୍ଧ ଦେଇଛନ୍ତି। ଏହି ଘଟଣା ବୟାନ କରୁଛି ଅନ୍ଧବିଶ୍ୱାସ ଅନ୍ଧଗଳିରେ ଆଜି ବି ମଣିଷ ପରି ମଣିଷ ଟିଏର କାମ କରିଛନ୍ତି ବିଧାୟକ। ରେଙ୍ଗାଲି ସୋଢାମାଲ ଅମାନାପାଲିରେ ଜଣେ ବୃଦ୍ଧା ଦୀର୍ଘଦିନ ଧରି ଭିକ୍ଷାବୃତି କରି ଚଳୁଥିଲେ। ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳର କୌଣସି ଲୋକ କାନ୍ଧ ଦେବାକୁ ଆସିନଥିଲେ। ଗତକାଲି ବିଧାୟକଙ୍କୁ ଫୋନ କରିଥିଲେ ଲଇଡା ଫାଣ୍ଡି ଅଧିକାରୀ। ଫାଣ୍ଡି ଅଧିକାରୀ କହିଥିଲେ, ୨୪ ଘଣ୍ଟା ହେଲା ଜଣେ ବୃଦ୍ଧାଙ୍କର ଶବ ପଡିଥିଲେ ବି ଏହାକୁ କେହି ଉଠାଉନାହାନ୍ତି। ଏହା ପରେ ବିଧାୟକ ସବୁ କାର୍ଯ୍ୟକ୍ରମ ବାତିଲ କରିଥିଲେ। ନିଜର ଦୁଇ ପୁଅକୁ ସାଙ୍ଗରେ ଧରି ଉକ୍ତ ସ୍ଥାନରେ ପଂହଚି ଯାଇଥିଲେ। ଆଉ ବୃଦ୍ଧାଙ୍କ ମୃତଦେହକୁ କୋକଇରେ ବାନ୍ଧି ଶ୍ମଶାନ ଅଭିମୁଖେ ବାହାରିଥିଲେ। ଆଗରେ ବିଧାୟକ ରମେଶ ପଟୁଆ ଓ ପଛରେ କୋକେଇକୁ ଧରିଥିଲେ ଦୁଇପୁଅ। ବିଧାୟକଙ୍କୁ ଏଭଳି ଦେଖିବା ପରେ କିଛି ଲୋକ ମଧ୍ୟ ତାଙ୍କ ସାଥ ଦେଇଥିଲେ। ଆଉ ବୈଦିକ ରୀତିରେ ଅସହାୟ ବୃଦ୍ଧାଙ୍କ ଶବ ସଂସ୍କାର କରାଯାଇଥିଲା। ବିଧାୟକଙ୍କ ଏହି ବଡପଣ ଏବେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି ଆଉ ବିଧାୟକଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି ସ୍ଥାନୀୟ ବାସିନ୍ଦା।

ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ବୌଦ୍ଧରେ ଜଣେ ମହିଳାଙ୍କ ଶବକୁ କାନ୍ଧ ଦେବା ପାଇଁ ଗାଁ ଲୋକେ ରାଜି ନହେବାରୁ ସାଇକେଲରେ ଶବକୁ ବୋହି ଶ୍ମଶାନ ନେଇଥିଲେ ତାଙ୍କ ଭିଣୋଇ। ଶିକ୍ଷିତ ସମାଜରେ ବିଭିନ୍ନ କାରଣକୁ ନେଇ ଶବକୁ କାନ୍ଧ ନମିଳିବା ଭଳି ଘଟଣାମାନ ଘଟୁଥିବା ବେଳେ ବିଧାୟକଙ୍କ ଏପରି ପାରିବା ପଣିଆ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।