ପ୍ରତାପୁର: ‘ରୁପା ଶଗଡ଼ିରେ ସୁନାକନିଆ’....। ୮୦ ଦଶକର ଏହି ମନଛୁଆଁ ଓଡ଼ିଆ ଗୀତ ଆଜି ବି ଜନମାନସରେ ବେଶ୍ ଆଦୃତ। ଦିନ ଥିଲା, ଏହି ଶଗଡ଼ ଗ୍ରାମାଞ୍ଚଳ ସଂସ୍କୃତିର ପରିଚୟ ଥିଲା। ବିବାହ ପରେ କନ୍ୟାକୁ ହୁଡ୍‌ ପକା ସୁସଜ୍ଜିତ ଶଗଡ଼ରେ ବସାଇ ବିଦାୟ କରିବା ପରମ୍ପରା ବହୁ ପୁରୁଣା। କିନ୍ତୁ ଆଧୁନିକ ପ୍ରଯୁକ୍ତିବିଜ୍ଞାନ ଯୁଗରେ ଶଗଡ଼ର ସତ୍ତା ହଜିଗଲାଣି। ପୁରୁଣା ପରମ୍ପରାକୁ ମନେ ପକାଇବାକୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁଡ଼ୁତାଇ ପଞ୍ଚାୟତ ବାଙ୍କତରା ଗ୍ରାମର କିଛି ଯୁବକ ନିଆରା ପ୍ରୟାସ କରିଛନ୍ତି। ଫୁଲମାଳରେ ସୁସଜ୍ଜିତ ଶଗଡ଼ ପଠାଇ କନ୍ୟାକୁ ଅଣା ଯାଇଥିବା ବେଳେ ବରକୁ ଘୋଡ଼ାରେ ପଟୁଆରରେ ଗାଁ ପରିକ୍ରମା କରାଯିବା ପରେ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି।

Advertisment

ଗତ ୮ ତାରିଖରେ ବାଙ୍କତରା ଗ୍ରାମର ଗଦାଧର ନାୟକଙ୍କ ପୁଅ ମହେନ୍ଦ୍ର ପାଟରାପଲ୍ଲୀ ଗ୍ରାମର ସ୍ବର୍ଗତ ଗୋପାଳ ବେହେରାଙ୍କ ଝିଅ ସରିତାଙ୍କୁ ବିବାହ କରିଥିଲେ। କିନ୍ତୁ କନ୍ୟାକୁ ଆଣିବା ଲାଗି ତାଙ୍କ ସାଙ୍ଗସାଥୀ ଓ ପରିବାରବର୍ଗଙ୍କ ପକ୍ଷରୁ ଏକ ଶଗଡ଼କୁ ସଜାଇ ବାଙ୍କତରା ଗ୍ରାମକୁ ପଠା ଯାଇଥିଲା। ବାଉଁଶ ହୁଡ୍‌ ପ୍ରସ୍ତୁତ କରି ଏହା ଉପରେ ଗୋଲାପ ଓ ଗେଣ୍ଡୁ ଫୁଲ ସଜା ଯାଇଥିଲା। ବିଭିନ୍ନ ଭାଗରେ ଖଡ଼ି ଝୋଟି ଅଙ୍କା ଯାଇଥିଲା। ଉକ୍ତ ଶଗଡ଼ରେ ସରିତା ବସି ପାଟରାପଲ୍ଲୀ ଗ୍ରାମକୁ ଆସିବା ପରେ ପୁରୁଣା ଦିନର ସ୍ମୃତିକୁ ଗ୍ରାମବାସୀ ସାଉଁଟିଥିଲେ। ସେହିପରି ମହେନ୍ଦ୍ର ମଧ୍ୟ ବିରାଟ ପଟୁଆରରେ ଘୋଡ଼ାରେ ବସି ଗାଁ ବୁଲିବା ପରେ ଉଭୟଙ୍କ ବାହାଘର ଶେଷ ହୋଇଥିଲା। ମହେନ୍ଦ୍ର ଓ ସରିତା ଉଭୟ ଶିକ୍ଷିତ। ସେମାନେ ଭୁବନେଶ୍ବରର ଏକ ଘରୋଇ କମ୍ପାନିରେ କାମ କରୁଛନ୍ତି।

ମହେନ୍ଦ୍ର କହିଛନ୍ତି, ‘ବାହାଘର ବେଳେ ମୋ’ ବୋଉ ଶଗଡ଼ରେ ଆସିଥିବା ଶୁଣିଥିଲି। ଏହି ପରମ୍ପରାକୁ ମନେ ପକାଇବାକୁ ଏଭଳି ନିଆରା ଆୟୋଜନ ହୋଇଥିଲା। ଯାହାକି ଏକ ନୂଆ ଅନୁଭୂତି ଥିଲା।’ ତେବେ ବହୁ ସ୍ଥାନ ଖୋଜିବା ପରେ ପଥରାପଲ୍ଲୀ ଗ୍ରାମରୁ ଏକ ଶଗଡ଼ ଯୋଗାଡ଼ ହୋଇ ପାରିଥିଲା ବୋଲି ପରିବାରବର୍ଗ କହିଛନ୍ତି।