ଅନୁଗୁଳ : ୧୩ବର୍ଷ ବୟସର ନାବାଳିକାକୁ ଏକତରଫା ପ୍ରେମ। ଏଥିରେ ବିଫଳ ହେବାରୁ ଘରେ ପଶି ଘଟାଇଲା ବୀଭତ୍ସ ଓ ନାରକୀୟ କାଣ୍ଡ। ମା’ର ଆଖି ସାମ୍ନାରେ ଝିଅର ତଣ୍ଟି କାଟି ହତ୍ୟାକଲା ରକ୍ତମୁଖା ପ୍ରେମିକ। ଅନୁଗୁଳ ସହର ଉପକଣ୍ଠ କୁଇଓ ନୂଆ ଅନନ୍ତବେରେଣୀ କଲୋନିରେ ସୋମବାର ସକାଳେ ଏପ୍ରକାର ହତ୍ୟାକାଣ୍ଡ ଘଟିଛି। କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ହତ୍ୟା ଅଭିଯୁକ୍ତ ରଞ୍ଜନ ବେହେରା(୨୦) ନାବାଳିକାକୁ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଅଭିଯୁକ୍ତକୁ ଧରପଗଡ଼ ପାଇଁ ପୁଲିସ ଛାନ୍‌ଭିନ୍‌ ଜାରି ରହିଛି।

Advertisment

ସୂଚନା ମୁତାବକ, ହତ୍ୟାର ଶିକାର ହୋଇଥିବା ଏହି ନାବାଳିକାଙ୍କ ନାଁ ହେଉଛି ଖୁସି ସାହୁ(୧୩)। ବାପାଙ୍କ ନାଁ ଦାଶରଥି ସାହୁ। ନାଁ ଯେମିତି, ଝିଅଟି ବି ଥିଲେ ସେମିତି। ଅତି ଖୁସି ମିଜାଜ୍‌ର। ତାଙ୍କ ନିଜ ଘର ଯଦିଓ ତାଳଚେର ବ୍ଲକ୍‌ ଡଅଁରା ଗାଁରେ, ସେ କିନ୍ତୁ ନିଜ ଗାଁରୁ ଉଠି ଅନୁଗୁଳ ସଦର ଥାନା କୁଇଓ ତ୍ରିଶକ୍ତି ହାଇସ୍କୁଲ୍ ପଛପାଖରେ ଘର କରି ରହୁଥିଲେ। ଖୁସି ଥିଲେ ଅନୁଗୁଳ ସରସ୍ବତୀ ବିଦ୍ୟାମନ୍ଦିରର ଅଷ୍ଟମଶ୍ରେଣୀ ଛାତ୍ରୀ। ସ୍କୁଲ୍ ଛୁଟି ଯୋଗୁଁ ସେ ନିଜ ଘର ବାରଣ୍ଡାରେ ଦୁଇ ସାନଭାଇ ସହିତ ଲୁଡୁ ଖେଳୁଥିଲେ। ସେତେବେଳେକୁ ସମୟ ପ୍ରାୟ ସକାଳ ୯ଟା। ମା ଜଲି ସାହୁ ଘରେ କାମ କରୁଥିଲେ।

ଖୁସିଙ୍କ ଜେଜେ ବାପା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବାପା ଡ୍ୟୁଟିକୁ ଯାଇଥିଲେ। ଘରେ କୌଣସି ପୁରୁଷ ନ ଥିବା ବେଳେ ଏହାର ସୁଯୋଗ ନେଇଥିଲା ଅଭିଯୁକ୍ତ ରଞ୍ଜନ। ବାଇକ୍‌ରେ ଆସି ସିଧାସଳଖ ଘରେ ପଶିଥିଲା। ମା କିଛି ଜାଣିବା ଆଗରୁ ଲୁଡ଼ୁ ଖେଳରୁ ଖୁସିଙ୍କୁ ଟାଣି ନେଇଥିଲା। ଖୁସିର ମା ଏହାର ବିରୋଧ କରିବାରୁ ତାଙ୍କୁ ଧକ୍କା ଦେଇଥିଲା। ଖୁସିକୁ ନେଇ ନିଜେ ଗୋଟିଏ ରୁମ୍‌ ଭିତରେ ପଶିଯାଇଥିଲା। ଭିତରୁ ରୁମ୍‌କୁ ବନ୍ଦ କରି ଦେଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲା। ମାତ୍ର ୫ମିନିଟ୍‌ ଭିତରେ ମା ଆଗରେ ଝିଅର ହତ୍ୟାକାଣ୍ଡ ରଚି ଦେଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲା ରଞ୍ଜନ। ଜେଜେ ବାପା ପୋଖରୀରୁ ଫେରିଲା ବେଳକୁ ସବୁ ସରିଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖୁସିଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପୁଲିସର ପ୍ରାଥମିକ ତଦନ୍ତ ମୁତାବକ, ହତ୍ୟା ଅଭିଯୁକ୍ତ ରଞ୍ଜନ ହେଉଛି ଜଣେ କାର୍‌ ଡ୍ରାଇଭର। ଖୁସିଙ୍କ ଘର ପାଖର ଜଣେ ବିତ୍ତଶାଳୀ ବ୍ୟକ୍ତିଙ୍କ ସେ ଗାଡ଼ି ଚଳାଉଥିଲା। ସେଥିପାଇଁ ତା ଘର କଣିହାଁ ବ୍ଲକ୍‌ରେ ହୋଇଥିଲେ ହେଁ ଖୁସିଙ୍କ ଘର ପାଖାପାଖି ରହି ତାଙ୍କର ନିକଟତର ହେବାକୁ ଚେଷ୍ଟା କରିଥିଲା। ଶେଷର ଏପରି ଏକ ବୀଭତ୍ସ କାଣ୍ଡ ଘଟାଇଲା। ଏ ନେଇ ମୃତ ଖୁସିଙ୍କ ମା ଜଲି ସାହୁ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଢେଙ୍କାନାଳରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ହତ୍ୟାକାଣ୍ଡ ସ୍ଥଳରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଭିଯୁକ୍ତକୁ ଠାବ କରିବା ପାଇଁ ପୁଲିସ ଅନୁସନ୍ଧାନ ଜାରି ରଖିଛି।