କଟକ: ମାତ୍ର ୫ ମାସରେ ବଦଳି ଗଲେ ସିଡିଏର ଉପାଧ୍ୟକ୍ଷ। ଏପ୍ରିଲ ୨୬ ତାରିଖରେ ଆଇଏଏସ୍ ଅଫିସର ଶୁଭମ୍ ସକ୍ସେନା ସିଡିଏର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ହଠାତ ତାଙ୍କୁ ବଦଳି କରାଯିବା ଘଟଣା ଅନେକଙ୍କୁ ଚକିତ କରିଥିବା ବେଳେ କଟକରେ ଯୁବ ଅଥବା ସିଧାସଳଖ ଆଇଏଏସ୍ ଅଫିସର ନ ତିଷ୍ଠିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଟକର ବିକାଶ କ୍ଷେତ୍ରରେ କଟକ ମହାନଗର ନିଗମ (ସିଏମ୍ସି), କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଏବଂ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଏହି ତିନିଟି ଅନୁଷ୍ଠାନର ମୁଖ୍ୟ ପଦବିରେ ବରିଷ୍ଠ ଓଏଏସ୍ ଅଫିସର ଅଥବା ପଦୋନ୍ନତି ପାଇ ଆଇଏଏସ୍ ପାହ୍ୟାକୁ ଯାଇଥିବା ଅଧିକାରୀଙ୍କୁ ଅବସ୍ଥାପିତ କରାଯାଉଛି।
କଟକର ଜିଲ୍ଲାପାଳ ଭାବେ ଅଧିକାଂଶ ସମୟ ଓଏଏସ୍ ଅଥବା ପଦୋନ୍ନତି ପାଇ ଆଇଏଏସ୍ ଅଧିକାରୀ କାର୍ଯ୍ୟ କରି ଆସୁଛନ୍ତି। ଗଲା ୧୫ ବର୍ଷ ଭିତରେ ମାତ୍ର ୩ ଜଣ ଯୁବ ଆଇଏଏସ୍ କଟକର ଜିଲ୍ଲାପାଳ ହୋଇଛନ୍ତି। ଦେଓରଂଜନ କୁମାର ସିଂହ, ସୁଜାତା କାର୍ତ୍ତିକେୟନ ଓ ଗିରିଶ ଏସ୍.ଏନ୍ ଏହି ସମୟ ମଧ୍ୟରେ କଟକ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଅନ୍ୟପଟେ କଟକ ମହାନଗର ନିଗମରେ ବି ଅନୁରୂପ ଭାବେ ମାତ୍ର ୩ ଜଣ ଯୁବ ଆଇଏଏସ୍ଙ୍କୁ ନିଯୁକ୍ତି ମିଳିଛି। ସୁଶୀଲ କୁମାର ଲୋହାନି କିଛି ଦିନ ସିଏମ୍ସି କମିସନର ଭାବେ କାର୍ଯ୍ୟ କରିଥିବା ବେଳେ ଡି.ଭି.ସ୍ୱାମୀଙ୍କୁ ମାତ୍ର ମାସକ ମଧ୍ୟରେ ବିବାଦୀୟ ସ୍ଥିତିରେ ବଦଳି କରି ଦିଆଯାଇଥିଲା। ଅନେକ ସମୟରେ ସିଡିଏ ଉପାଧ୍ୟକ୍ଷ ଦାୟିତ୍ୱ ଜିଲ୍ଲାପାଳଙ୍କ ହାତରେ ଅତିରିକ୍ତ ଭାବେ ନଚେତ ସିଏମ୍ସି କମିସନରଙ୍କ ହାତରେ ଅତିରିକ୍ତ ଭାବେ ଦିଆଯାଉଥିବା ବେଳେ ନିକଟରେ ସରକାର ଶୁଭମ୍ ସକ୍ସେନାଙ୍କୁ ସ୍ୱତନ୍ତ୍ର ଭାବେ ଅବସ୍ଥାପିତ କରିଥିଲେ। କିନ୍ତୁ ମାତ୍ର ୫ ମାସରେ ତାଙ୍କର ବଦଳିର ରହସ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଇଏଏସ୍ ଅଫିସରମାନେ କଟକରେ ରହୁ ନାହାନ୍ତି ନାଁ ରାଜନୈତିକ ସ୍ୱାର୍ଥରେ ସେମାନଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଛି। କଟକର ବିକାଶ ତ୍ୱରାନ୍ଵିତ ହେବା କ୍ଷେତ୍ରରେ ଏ ପ୍ରକାର ନିଷ୍ପତ୍ତି ବି ଏକ ବଡ଼ ପ୍ରତିବନ୍ଧକ ସାଜୁଥିବା ଚର୍ଚ୍ଚା ହେଉଛି। ସିଡିଏ ଉପାଧ୍ୟକ୍ଷଙ୍କ ଏ ପ୍ରକାର ବଦଳିକୁ କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି। ସାଧାରଣ ସଂପାଦକ ବିଜୟ ଭୂଷଣ ପତି କହିଛନ୍ତି ଯେ ସିଡିଏକୁ ସକ୍ରିୟ କରିବା ଦିଗରେ ପଦକ୍ଷେପ ନେଉଥିବା ଜଣେ ଅଫିସରଙ୍କୁ ହଠାତ ଏଭଳି ବଦଳି କରାଯିବାର ଉଦ୍ଦେଶ୍ୟ ବୁଝି ହେଉନାହିଁ। ସରକାର ଏହାର ପୁନର୍ବିଚାର କରିବା ଆବଶ୍ୟକ।
କଟକରେ ତିଷ୍ଠୁ ନାହାନ୍ତି ଯୁବ ଆଇଏଏସ୍!
୫ ମାସରେ ବଦଳି ଗଲେ ସିଡିଏ ଉପାଧ୍ୟକ୍ଷ
/sambad/media/post_attachments/wp-content/uploads/2017/10/download-9-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)