ତାଳଚେର : ତାଳଚେର ଅଞ୍ଚଳରେ କୋଇଲା ଓ ଅନ୍ୟ ବ୍ୟବସାୟ କରୁଥିବା ମା ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ମା ହିଙ୍ଗୁଳା ଟ୍ରେଡର୍ସ ସଂସ୍ଥା ଉପରେ ଆଜି ଜିଏସ୍‌ଟି ଟିମ୍‌ ଚଢ଼ଉ କରିଛି। ମା ହିଙ୍ଗୁଳା ଟ୍ରାନ୍‌ସପୋର୍ଟର ମାଲିକ ମହେନ୍ଦ୍ର ବେହେରା ଓ ମା ହିଙ୍ଗୁଳା ଟ୍ରେଡର୍ସର ମାଲିକ ତାଙ୍କ ଭାଇ ରାଜେନ୍ଦ୍ର ବେହେରାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଜିଏସ୍‌ଟି କଟକ ସିଟି ଡିଭିଜନ୍‌ର ୨୫ ଜଣିଆ ଟିମ୍‌ ଏହି ଚଢ଼ଉ କରିଥିଲେ। ପାଖାପାଖି ୬୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ଜିଏସ୍‌ଟି ଅଧିକାରୀ ବିରଞ୍ଚି ମହାନନ୍ଦିଆଙ୍କ ସୂଚନା ମୁତାବକ, ଗତ ୪ ତାରିଖରେ ତାଳଚେର ବିବି ଟ୍ରେଡର୍ସ ଏବଂ ଓମ୍‌ ରୋଡ୍‌ ୱେଜ୍‌ ସଂସ୍ଥା ସଂପର୍କରେ ତଦନ୍ତ କରାଯାଇଥିଲା। ଏହି ସଂସ୍ଥା ସହିତ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କର ସଂପୃକ୍ତି ଥିବା ଜଣାପଡ଼ିଥିଲା। ତେଣୁ ଏହି ଦୁଇଭାଇଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆଜି ଚଢ଼ଉ କରାଯାଇଛି। ହାଣ୍ଡିଧୂଆଁ ଛକରେ ଥିବା ତାଙ୍କର ଏକ କ୍ରସର୍‌ ଉପରେ ଆଜି ଚଢ଼ଉ କରାଯାଇଥିଲା। ମହେନ୍ଦ୍ରଙ୍କର ତାଳଚେର ଓ ଢେଙ୍କାନାଳରେ ଥିବା ୪ଟି ବ୍ୟାବସାୟିକ ପ୍ରତିଷ୍ଠାନ‌ରେ ଆଜି ଖୋଳତାଡ଼ ଚାଲିଛି। ଦୁଇଭାଇଙ୍କର ଭୁବନେଶ୍ବରରେ ଥିବା ବାସଭବନ, ବ୍ୟାବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ମଧ୍ୟ ଆଜି ଚଢ଼ଉ କରାଯାଉଛି। ତାଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରିବାକୁ ସମୟ ଲାଗିବ। ଏହି ସଂସ୍ଥାର ପାଖାପାଖି ୬୦ କୋଟି ଟଙ୍କା ଜିଏସ୍‌ଟି ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାଙ୍କର ସମସ୍ତ କାଗଜପତ୍ର ଯାଞ୍ଚ ଶେଷ ହେବା ପରେ ସଂପୂର୍ଣ୍ଣ ସୂଚନା ଦେଇହେବ ବୋଲି ଶ୍ରୀ ମହାନନ୍ଦିଆ କହିଛନ୍ତି। ଜିଏସ୍‌ଟି ଟିମ୍‌ ସହିତ ପୁଲିସ ମଧ୍ୟ ଚଢ଼ଉରେ ସାମିଲ ଥିଲେ।