କୋରାପୁଟ ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ

କୋରାପୁଟ : କୋରାପୁଟ ଜିଲ୍ଲାକୁ ପୁଣି ଫେରିଲା ମାରାତ୍ମକ ଡେଙ୍ଗୁ। ଗତକାଲି ଦୁଇ ଜଣ ଏବଂ ଆଜି ଆଉ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ କୋରାପୁଟ ମିଶନ କମ୍ପାଉଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି। ୨୪ଘଣ୍ଟା ମଧ୍ୟରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ଡେଙ୍ଗୁ ବ୍ୟାପିବାର ସଂକେତ ଦେଉଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଜାନୁଆରି ମାସରୁ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୮ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ବାହାରିଛି। ଯଦିଓ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ, ତଥାପି ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। କୋରାପୁଟ ସହରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସ୍ଥିତି ଆଦୌ ଚିନ୍ତାଜନକ ନୁହେଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣ କୁମାର ପାଢ଼ୀ କହିଛନ୍ତି। ‌ଜିଲ୍ଲାରେ ବର୍ଷା ଦିନ ଆରମ୍ଭ ହୋଇଥିବାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ସରକାରୀ ରିପୋର୍ଟ ଅନୁସାରେ ଗତବର୍ଷ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୨୪ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ୨୦୨୧ ମସିହାରେ ୧୫୬ଜଣ, ୨୦୨୦ ମସିହାରେ ୧୦୨ଜଣ ଡେଙ୍ଗୁ ପିଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୦୧୮ ମସିହାରେ ୧୭ଜଣ ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ ୨୦୧୫ ମସିହାରେ ୩୨ଜଣଙ୍କ ନମୁନା ପରୀକ୍ଷା ସତ୍ତ୍ବେ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ସମ୍ବନ୍ଧିତ ଖବର