ଭୁବନେଶ୍ବର: ଗତକାଲି ରାତିରେ କମିସନରେଟ୍ ପୁଲିସର ବନ୍ଧୁକ ଗର୍ଜିଛି। ଚଳିତ ବର୍ଷର ଦ୍ବିତୀୟ ଏନ୍କାଉଣ୍ଟର୍ରେ ଦୁର୍ଦ୍ଦାନ୍ତ ରବି ରାଓର ଡାହାଣ ହାତ ମୋଷ୍ଟୱାଣ୍ଟେଡ୍ ରଘୁଆ ବିଶ୍ବାଳ ଆହତ ହୋଇଛି। କିନ୍ତୁ ଘଟଣାସ୍ଥଳରୁ ରଘୁଆର ସହଯୋଗୀ ପୁନିଆ ନାଏକ ଖସି ପଳାଇବାରେ ସକ୍ଷମ ହୋଇଛି। ରଘୁଆକୁ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଆହତ ରଘୁଆ ପାଖରୁ ପୁଲିସ ଏକ ୭.୬୫ ମିମି ପିସ୍ତଲ, ୩ ରାଉଣ୍ଡ ଗୁଳି ଜବତ କରିଥିବା ବେଳେ ଘଟଣାସ୍ଥଳରୁ ୫ ଖୋକା ପାଇଛି। ପୁନିଆକୁ ଧରିବା ପାଇଁ ପୁଲିସ ଚଢ଼ଉ ଚଳାଇଛି।
ପୂର୍ବରୁ ବନ୍ଧୁକ କାରବାର କରୁଥିବା ରଘୁଆ ଗତ କିଛି ଦିନ ହେଲା ପାହାଳ ଓ ମଞ୍ଚେଶ୍ବର ଥାନା ଅଞ୍ଚଳରେ ରାହାଜାନୀ କରି ଆତଙ୍କ ଖେଳାଇଥିଲା।
ଗତ ସପ୍ତାହରେ ଜଣେ ମହିଳାଙ୍କ ବେକରୁ ସୁନାହାର ଝାମ୍ପି ନେବା ବେଳେ ସେ ବାଇକ୍ରୁ ଖସିପଡ଼ିଥିଲେ ଏବଂ ଏବେ ବି ସେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ତେଣୁ ସେ ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ୍ ପାଲଟିଥିଲା। ତାକୁ ତୁରନ୍ତ ଧରିବାକୁ ମଞ୍ଚେଶ୍ବର, ପାହାଳ, ବାଲିଅନ୍ତା ଆଦି ଥାନା ପୁଲିସ ସହ ସ୍ପେସାଲ୍ ସ୍କ୍ବାଡ୍କୁ ନିୟୋଜିତ କରାଯାଇଥିଲା। ରଘୁଆର ଗତିବିଧି ଉପରେ ନଜର ରଖି ଖବର ଜଣାଇବାକୁ ପୁଲିସ ତା’ର ଖବରୀଙ୍କୁ ସଜାଗ ରଖିଥିଲା। ଗତକାଲି ରାତି ପ୍ରାୟ ୩ଟା ବେଳେ ହଂସପାଳ-ବରିମୁଣ୍ଡ ରାସ୍ତାରେ ଏକ କେଟିଏମ୍ ବାଇକ୍ରେ ଥିବା ୨ ଜଣ ଯୁବକ ଲୋକଙ୍କୁ ଅଟକାଇ ଛିନ୍ତାଇ କରୁଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ଏହା ରଘୁଆ କାମ ବୋଲି ପୁଲିସ ନିଶ୍ଚିତ ହୋଇଥିଲା ଏବଂ ତାକୁ କାବୁ କରିବାକୁ ତୁରନ୍ତ ଦୁଇଟି ଟିମ୍ ବାହାରିପଡ଼ିଥିଲା। ପୁଲିସ ଟିମ୍କୁ ଦେଖିବା ମାତ୍ରେ ପୁନିଆ ଓ ରଘୁଆ ବରିମୁଣ୍ଡ ଦିଗରେ ଦ୍ରୁତବେଗରେ ବାଇକ୍ ଚଳାଇଥିଲେ। କିନ୍ତୁ ବାଲିଯାତ୍ରା ପଡ଼ିଆ ନିକଟରେ ମଞ୍ଚେଶ୍ବର ସାଇଫନ୍ ପାଖରେ ପହଞ୍ଚିଥିବା ବେଳେ ପୁଲିସ ଗାଡ଼ି ସେମାନଙ୍କ ବାଇକ୍ ପାଖାପାଖି ହୋଇଯାଇଥିଲା। ତେଣୁ ବାଇକ୍ ପଛରେ ବସିଥିବା ରଘୁଆ ପୁଲିସକୁ ଭୟଭୀତ କରିବାକୁ ଗୁଳି ଚଳାଇଥିଲା। ସେ ପ୍ରାୟ ୫/୬ ରାଉଣ୍ଡ ଗୁଳି ଚଳାଇଥିଲା। ବାଧ୍ୟ ହୋଇ ପୁଲିସ ପାଲଟା ଗୁଳିମାଡ଼ କରିଥିଲା। ପୁଲିସ ଗୁଳି ରଘୁଆର ବାମ ଗୋଡ଼ରେ ବାଜିଥିଲା ଏବଂ ଭୟରେ ପୁନିଆ ବାଇକ୍ ଫୋପାଡ଼ି ଦୌଡ଼ିଥିଲା। ଆହତ ରଘୁଆକୁ କାବୁ କରି ପୁଲିସ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା। ରଘୁଆ ନାଁରେ ନୂଆପଲ୍ଲୀ, ଚନ୍ଦକା, ଚନ୍ଦ୍ରଶେଖରପୁର, ସହିଦନଗର ଆଦି ରାଜଧାନୀର ବିଭିନ୍ନ ଥାନାରେ ପ୍ରାୟ ୧୫ରୁ ଅଧିକ ମାମଲା ରହିଛି। କେବଳ ବନ୍ଧୁକ କାରବାର ନେଇ ତା’ ନାଁରେ ୮ ମାମଲା ରହିଛି।