ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’। ୧୦ ତାରିଖଠାରୁ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ଏହାକୁ ଖାତିର ନକରି ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରଖିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ। ୫୫ ଦିନର ଆନ୍ଦୋଳନ ପରେ ବି ରାଜ୍ୟ ସରକାର ଦାବି ପୂରଣ କରୁ ନଥିବାରୁ ଆଜି ପୁଣିଥରେ ଗାନ୍ଧୀମାର୍ଗରେ ମହାସମାବେଶ କରି ରାଜ୍ୟ ସରକାରଙ୍କ ଶିକ୍ଷକମାରଣ ନୀତି ବିରୋଧରେ ଗର୍ଜିଛନ୍ତି ଶିକ୍ଷକ। ୬୦୦ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ସେମାନଙ୍କ ଅଧିକାର ଫେରାଇ ଦିଆ ନଯିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା କହିଛନ୍ତି। ପୂର୍ବ ନିଷ୍ପତ୍ତିି ଅନୁଯାୟୀ ଗୋପବନ୍ଧୁ ଜୟନ୍ତୀ ଅବସରରେ ଆଜି ମିଳିତ ମଞ୍ଚ ଡାକରାରେ ହଜାର ହଜାର ଶିକ୍ଷକ ମାଷ୍ଟରକ୍ୟାଣ୍ଟିନ୍‌ ରେଳଷ୍ଟେସନରୁ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିବା ପରେ ମହା‌ସମାବେଶରେ ସାମିଲ ହୋଇଥିଲେ। ଶିକ୍ଷକଙ୍କ ଶୋଭାଯାତ୍ରା ବେଳେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଦୁଇ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ପୁଲିସ ମଧ୍ୟ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା। ସମାବେଶ ଅବସରରେ ଶିକ୍ଷକ ନେତାମାନେ କହିଥିଲେ, ଶିକ୍ଷା ଆଇନର ପୁନଃ ପ୍ରଚଳନ, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ଫେରିପାଇବା ଦାବିରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ୫୫ ଦିନ ହେଲା ଆନ୍ଦୋଳନ ଚାଲିଛି। ଇତି ମଧ୍ୟରେ ୨୦ରୁ ଅଧିକ ଶିକ୍ଷକ ଓ କର୍ମଚାରୀଙ୍କ ମୃତ୍ୟୁ ହେଲାଣି। ଅଧିକାର ଫେରିପାଇବା ପାଇଁ ଓ ଦୀର୍ଘଦିନରୁ ଚାଲିଥିବା ଶୋଷଣରୁ ମୁକ୍ତି ନିମନ୍ତେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ବଜ୍ର ଶପଥ ନେଇଛନ୍ତି।

Advertisment

ସରକାର ଏମାନଙ୍କ ଧୈର୍ଯ୍ୟ ପରୀକ୍ଷା ନ କରି ଅଧିକାର ଫେରାଇ ଦିଅନ୍ତୁ। ସାଢ଼େ ୬ ହଜାର ସ୍କୁଲ ଓ କଲେଜକୁ ରକ୍ଷା କରନ୍ତୁ। ଏହା ସମସ୍ତଙ୍କ ପାଇଁ ମଙ୍ଗଳ ହେବ। ନଚେତ ପରିବର୍ତ୍ତନର ନାରା ଦେଇ ଫେରିବୁ। ଓଡ଼ିଶାର ପ୍ରତ୍ୟେକ ପରିବାର ନିକଟରେ ପହାଞ୍ଚିବୁ। ଯେଉଁମାନେ ଗାଁର ବିକାଶ ଓଡ଼ିଶାର ବିକାଶ ସ୍ଲୋଗାନ ଦେଉଛନ୍ତି ସେମାନେ ବିକାଶ ନୁହଁ ବରଂ ବିନାଶ ଚାହୁଁଛନ୍ତି ବୋଲି ଘରେ ଘରେ ପ୍ରଚାର କରାଯିବ ବୋଲି ମିଳିତ ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା, ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ସତ୍ୟନାରାୟଣ ତ୍ରିପାଠୀ, ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଭିକାରି ଚରଣ ସାହୁ, ଶତାବୁଦ୍ଦିନ୍ ଅହମ୍ମଦ ପ୍ରମୁଖ ଦୃଢ଼ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସବୁପ୍ରକାର ସରକାରୀ କାର୍ଯ୍ୟକୁ ବର୍ଜନ କରାଯିବ ବୋଲି ଏହି ଅବସରରେ ମିଳିତ ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି।