ବୋଲଗଡ଼: ବୋଲଗଡ଼ ବ୍ଲକ୍ର କେତେକ ସ୍ଥାନରେ ମୁଣ୍ଡିଆ ଓ ଜଙ୍ଗଲ ତଳି ଅଞ୍ଚଳଗୁଡିକରେ ବାର୍ହା ଉପଦ୍ରବ ଦେଖିବାକୁ ମିଳିଛି। ବାର୍ହା ପଲ ଜଙ୍ଗଲ ଓ ମୁଣ୍ଡିଆରୁ ଆସି ଫସଲ ଜମି ତାଡ଼ି ନଷ୍ଟ କରିଦେଉଛନ୍ତି। ଘଟଣାରୁ ପ୍ରକାଶ ଯେ ସାନପଦର ବିନ୍ଧଗିରି ପାହାଡ଼ ତଳି ଅଞ୍ଚଳରେ ଥିବା ଧାନ ଜମିଗୁଡିକରେ ବାରାହା ପଲ ତାଡିବା ଦ୍ବାରା ଧାନ ଫସଲ ନଷ୍ଟ ହେଉଥିବାର ସେହି ଗ୍ରାମର ଚାଷୀ ବିକାଶ କୁମାର ମହାପାତ୍ର, ପରମାନନ୍ଦ ମହାପାତ୍ରଙ୍କ ସମେତ ଅନ୍ୟ କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। ଏହିପରି ବାୟାପଲ୍ଳୀ ଗ୍ରାମର ପଙ୍କାଳବନ୍ଧ ତଳି ଅଞ୍ଚଳ ଜମିଗୁଡ଼ିକରେ ସେହି ଗ୍ରାମର ବନମାଳି ନାୟକ, ଅରବିନ୍ଦ ନାୟକ, ରାଜକିଶୋର ନାୟକ, ଦୁର୍ଯ୍ୟୋଧନ ନାୟକ, ସୁର୍ଦଶନ ନାୟକ ଏବଂ କେତେକ ଚାଷୀଙ୍କର ଧାନ ଫସଲ ଜମିକୁ ବାରାହା ପଲ ଆସି ତାଳିଡ଼ି ନଷ୍ଟ କରିଦେଉଥିବାର ସେମାନେ କହିଛନ୍ତି। ଏହିପରି ଆରିକିମା କୋଶଳାଶୁଣୀ ଜଙ୍ଗଲ ପାର୍ଶ୍ବରେ ଥିବା ବଣିଆଢିପ ଓ ଗିରିଧାରୀପୁରୀ ଅଞ୍ଚଳରେ ଧାନ ଫସଲ ଜମିକୁ ମଧ୍ୟ ତାଡି ଏପରି ଫସଲ ନଷ୍ଟ କରୁଥିବା ଚାଷୀ ସନାତନ ଜେନା, ବାଉରୀବନ୍ଧୁ ରାଉତ, ଲକ୍ଷ୍ମୀଧର ବିଶ୍ୱାଳ, ବାବାଜି ପରିଡ଼ା ଓ କାର୍ତ୍ତିକ ପରିଡ଼ା ପ୍ରମୁଖ କୁହନ୍ତି। ଏହିଭଳି ବୋଲଗଡ଼ ଧୁବୁରୀ ଡିପିଏଫ୍ ଅଞ୍ଚଳରେ ଥିବା ଭୂଇଁଆଣୀ ପାହାଡ଼ ତଳି ଅଞ୍ଚଳରେ ଥିବା କେତେକ ସ୍ଥାନରେ ଧାନଜମି ମଧ୍ୟ ବାର୍ହା ପଲ ନଷ୍ଟ କରୁଥିବାର ସୂଚନା ମିଳିଛି। ଏଭଳି ନାଗାପଲ୍ଳୀ ରିଜର୍ଭ ଫରେଷ୍ଟ ପାଦଦେଶରେ ଥିବା ପାଟବନ୍ଧର କେତେକ ଚାଷୀଙ୍କ ଧାନଜମିକୁ ବାର୍ହା ତାଡି ନଷ୍ଟ କରୁଥିବାର କୁହାଯାଉଛି।
ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ବାର୍ହା ପଲ ଧାନ ଫସଲ ଆରମ୍ଭ ସମୟରେ ଗେଣ୍ଡା, କୋଚିଆ, ମୁଣ୍ଡାମୂଳ ଖାଇବା ପାଇଁ ଏଭଳି ଫସଲ ନଷ୍ଟ କରୁଥିବାବେଳେ ଧାନ ବାହାରିବା ସମୟରେ ମଧ୍ୟ ଧାନ ଖାଇବା ପାଇଁ ଆସି ଫସଲ ନଷ୍ଟ କରିଥାଆନ୍ତି। ଏହା ଦ୍ବାରା ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବାର ଅଭିଯୋଗ କରୁଛନ୍ତି। ଏ ସଂକ୍ରାନ୍ତରେ ବୋଲଗଡ଼ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ ବର୍ଷକୁ ବର୍ଷ ଜଙ୍ଗଲ ଘଞ୍ଚ ହୋଇଥିବାରୁ ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ରହିବା ସହିତ ବାର୍ହା ବି ରହୁଛନ୍ତି। ତେବେ ବିଗତ ବର୍ଷ ବାର୍ହାଙ୍କ ଦ୍ବାରା ଯେଉଁ ମାନଙ୍କର ଫସଲ ନଷ୍ଟ ହୋଇଥିଲା ସେମାନେ ଅଭିଯୋଗ ପରେ ତଦନ୍ତ କରାଯାଇ ନିୟମ ଅନୁସାରେ ଫସଲ କ୍ଷତିବାବଦକୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ସରକାରୀ ସହାୟତା ଦିଆଯାଇଥିଲା। ମାତ୍ର ଚଳିତ ବର୍ଷ ବାର୍ହା ଦ୍ବାରା ଫସଲ କ୍ଷତି ହୋଇଥିବାର ଅଭିଯୋଗ ଆମ ପାଖକୁ ଆସିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/farmer.jpg)