ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ଗୁରୁବାର ଶାନ୍ତି ଶୃଙ୍ଖଳା, ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଥିଲା। ତେବେ ପ୍ରଥା ଆଗରେ ମୁଣ୍ଡ ନୁଆଁଇ ଥିଲା ଆଇନ ଓ ପ୍ରଶାସନ।
ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରର ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ୨୭ ତାରିଖ ରାତି ମହାଅଷ୍ଟମୀ ରାତିରେ ମାଣିକେଶ୍ୱରୀ ମନ୍ଦିର ଠାରେ ମହାବଳି ପରେ ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢାରଜା (ଭୈରବ)ଙ୍କ ସମ୍ମୁଖରେ ପୋଢବଳି ଦିଆଯିବା ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରକୁ ଭବାନୀପାଟଣାର ପଶ୍ଚିମ ଦିଗରେ ଜେନାଖାଲ ପର୍ଯ୍ୟନ୍ତ ନିଆଯାଇଥିଲା। ଗୁରୁବାର ପ୍ରାତଃକାଳରେ ଜେନାଖାଲରେ ବୋଦା ବଳି ଓ ପୂଜା ପାଠ ପରେ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ସକାଳ ୪. ୫୫ମି.ରେ ଆରମ୍ଭ ହୋଇଥିଲା।
ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଘୁମୁରା, ନିଶାଣ, ଘଣ୍ଟ ଆଦି ମଧ୍ୟରେ ଛିଟକନା, ମନ୍ଦାର ଫୁଲ, ବେଲପତ୍ର, ମାଳରେ ବସ୍ତ୍ରାବୃତ୍ତ ‘ଛତର’ ଝୁମି ଝୁମି ମାଣିକେଶ୍ୱରୀ ମନ୍ଦିରକୁ ପୂର୍ବାହ୍ନ ୧୦.୨୦ ମିନିଟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଛତରକୁ ମାନସିକ କରିଥିବା ହଜାର ହଜାର କୁକୁଡା, ପାରା, ବୋଦା, ମେଣ୍ଢା ଆଦି ରାସ୍ତାର ଦୁଇ ପାର୍ଶ୍ୱରେ ବଳି ଦିଆଯାଇଥିଲା।
ଏ ଅବସରରେ ୨୭ ତାରିଖ ରାତିରେ ରାଜବାଟି ସଭା ମଣ୍ଡପରେ ଅନୁଷ୍ଠିତ ଘୁମୁରା ନୃତ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ଘୁମୁରା ଦଳ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ମା’ଙ୍କ ଛତର ସିଂହଦ୍ୱାର ନିକଟରେ ପହଞ୍ଚିବା କ୍ଷଣି ମହାରାଜ ଉଦିତ ପ୍ରତାପ ଦେଓ ଓ ଯୁବରାଜ ଅନନ୍ତ ପ୍ରତାପ ଦେଓ ସମେତ ତାଙ୍କ ସପରିବାରର ସଦସ୍ୟ ମାନେ ବନ୍ଦାପନା କରି ସ୍ୱାଗତ ଜଣାଇ ମନ୍ଦିର ଭିତରକୁ ନେଇଥିଲେ। ଚଳିତ ବର୍ଷ ଜନଗହଳି ସାଙ୍ଗକୁ ପୂର୍ବ ବର୍ଷଠାରୁ ଅଧିକ ବଳି ପଡ଼ିଥିଲା। ସୁପ୍ରିମକୋର୍ଟ ଓ ହାଇକୋର୍ଟର ପ୍ରାଣୀ ବଳି ବନ୍ଦ କରିବା ପାଇଁ କଡା ବାରଣ ଏବଂ ପ୍ରଶାସନର ସବୁ ପ୍ରକାର ଉଦ୍ୟମ ଭକ୍ତଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଶହ ଶହ ଭକ୍ତଙ୍କ ଛତର ଦର୍ଶନ କରିବା ପାଇଁ ଆସିଥିଲେ।
ରାଜନୈତିକ ଦଳର ତୁଙ୍ଗ ନେତା ଏବଂ ବୁଦ୍ଧିଜୀବୀ ଓ ଜନସାଧାରଣ ମାନେ ମା’ଙ୍କ ଛତରକୁ ଦର୍ଶନ କରିଥିଲେ। ଚତର ବାହକ ଭବଳେଶ୍ୱର ବାହୁକ, ପୂଜକ ତ୍ରିପତି ମିଶ୍ର, ବିଶିକେଶନ ତି୍ରପାଠୀ, ପ୍ରଦୁମ୍ନ ପୁରୋହିତ ଏହି କାର୍ଯ୍ୟକୁ ସମ୍ପାଦନ କରିଥିଲେ। ଛତର ଯାତ୍ରାର ଜନଗହଳିକୁ ଆଖି ଆଗରେ ରଖି ୨୭ ତାରିଖ ସନ୍ଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପିଇବା ପାଣିର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୪ପ୍ଲାଟୁନ ଫୋର୍ସ ସମେତ ବହୁ ପୁଲିସ୍ ଅଧିକାରୀଙ୍କୁ ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ କରାଯାଇଥିଲା।
ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଘୋଡ଼ାଘାଟ୍ ଛକ ଓ ମନ୍ଦିର ନିକଟରେ ଧାରା ବିବରଣୀ ପ୍ରସାର କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନଙ୍କ ସଂଯୋଜନାରେ ଡ. ଉମେଶ ଶତପଥୀ, ଡ. ତପନ ରଥ, ସତ୍ୟ ନାରାୟଣ ମହାପାତ୍ର, ପ୍ରହଲ୍ଲାଦ ବେହେରା, ପଣ୍ଡିତ ମଙ୍ଗଳୁ ମିଶ୍ର, ସନ୍ତୋଷ ରଥ, ସନ୍ତୋଷ ଶତପଥୀ, ମିନତୀ ପ୍ରଧାନ, ବିରଞ୍ଚି ମୁଣ୍ଡ, ହେମନ୍ତ ମୁଣ୍ଡ ପ୍ରମୁଖ ଛତରଯାତ୍ରା ଉପରେ ଧାରା ବିବରଣୀ ଦେଇଥିଲେ। ୩୦ ତାରିଖ ଦିନ ନକଟିଗୁଡା ଆରଟିଓ ଅଫିସ ସମ୍ମୁଖରେ ମା’ ମାଣିକେଶ୍ୱରୀଙ୍କର ଲାଖମରା ଏବଂ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/chhater-jatra.jpg)