ଜନଜାତି ବଜେଟ୍‌ ବଢ଼ିଲା, କିନ୍ତୁ ରାଜ୍ୟକୁ ଅନୁଦାନ ହ୍ରାସ; ଲଘୁବନଜାତ ଏମ୍‌ଏସ୍‌ପି ପାଇଁ ହେଲାନି ଆବଣ୍ଟନ

ଓଡ଼ିଶାର ଭାଗ କମୁଛି, ଟଙ୍କା ବି ଖର୍ଚ୍ଚ ହୋଇପାରୁନି

ଭୁବନେଶ୍ବର: କେନ୍ଦ୍ରୀୟ ବଜେଟ୍‌ରେ ଅନୁସୂଚିତ ଜନଜାତିଙ୍କ ଭାଗ ବଢ଼ିଛି। ୨୦୧୯ ମସିହାରେ ଥିଲା ୬.୦୮ ପ୍ରତିଶତ। ୨୦୨୦ ମସିହାରେ ୨୩.୦୩ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ୨୦୨୧ରେ ୨୬.୯୩ ପ୍ରତିଶତ, ୨୦୨୨ରେ ୩୪.୩୯ ପ୍ରତିଶତ ଏବଂ ଚଳିତ ବର୍ଷ ସର୍ବାଧିକ ୪୯.୮୭ ପ୍ରତିଶତରେ କେନ୍ଦ୍ରୀୟ ଅଂଶ ପହଞ୍ଚିଛି।ଅନ୍ୟପକ୍ଷରେ ରାଜ୍ୟକୁ ମିଳୁଥିବା ଅନୁଦାନ ହ୍ରାସ ପାଉଛି। ଯାହା ସଂଘୀୟ ବ୍ୟବସ୍ଥାକୁ ଶକ୍ତ ଧକ୍କା ଦେଇଛି ବୋଲି ଅଭିଯୋଗ ହେଉଛି। ଜନଜାତି ବଜେଟ୍‌ରେ ୬ ବର୍ଷରେ ଅର୍ଥାତ୍‌ ୨୦୧୯ ମସିହାରେ ରାଜ୍ୟ ଅନୁଦାନ ଭାଗ ୮୨.୦୮ ପ୍ରତିଶତରୁ ଚଳିତ ବର୍ଷ ୩୯.୨୫ ପ୍ରତିଶତକୁ ଖସିଛି। ୨୦୨୦ ମସିହାରେ ୬୩.୬୫ ପ୍ରତିଶତ, ୨୦୨୧ରେ ୬୧.୮୯ ପ୍ରତିଶତ, ୨୦୨୨ ରେ ୫୪.୪୧ ପ୍ରତିଶତ ଥିଲା।

ଓଡ଼ିଶାକୁ କେବଳ ଅନୁଦାନ ପ୍ରତିଶତ ହ୍ରାସ ପାଇନାହିଁ, ବରଂ ୩ ବର୍ଷ ହେଲା ପ୍ରଧାନମନ୍ତ୍ରୀ କୃଷି ବିକାଶ ଯୋଜନା ଏବଂ ୨ ବର୍ଷ ହେଲା ସଙ୍କଳ୍ପ ଅର୍ଥାତ ଦକ୍ଷତା ବିକାଶ ଯୋଜନାରେ ଓଡ଼ିଶାକୁ ବାଦ୍‌ ଦିଆଯାଇଛି। ଚଳିତ ବଜେଟ୍‌ରେ ଜନଜାତିଙ୍କ ସଂସ୍କୃତି ସଂରକ୍ଷଣ ପାଇଁ ସଂରକ୍ଷିତ ଜନଜାତି ଅଞ୍ଚଳ ସୁରକ୍ଷା, ଜଙ୍ଗଲ ଅଧିକାର ଆଇନ-୨୦୦୬, ଲଘୁବନଜାତ ଦ୍ରବ୍ୟ ଏମ୍‌ଏସ୍‌ପି, କମ୍ୟୁନିଟି ଫରେଷ୍ଟ ରିସୋର୍ସ ଗ୍ରାମସଭା ପାଇଁ ଆର୍ଥିକ ଆବଣ୍ଟନ ଶୂନ୍ୟ ରହିଛି। ଯାହା ଓଡ଼ିଶାକୁ ପ୍ରଭାବିତ କରିବ। ଅନୁସୂଚିତ ଜାତି-ଜନଜାତି ବିଭାଗ ଅନ୍ତର୍ଗତରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ୪୦ ରୁ ଅଧିକ ଯୋଜନା ସଙ୍କୁଚିତ ହେବ। କେବଳ ଚଳିତ ବର୍ଷ ନୁହେଁ, କିଛି ହେଲା ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଥିବାରୁ ଆଦିମ ଜନଜାତିଙ୍କ ବିକାଶ ପାଇଁ ପ୍ରସ୍ତୁତ ଯୋଜନା କାର୍ଯ୍ୟକାରୀ ଦିଗରେ ରାଜ୍ୟ ସରକାରଙ୍କୁ ଋଣ ନେବାକୁ ପଡ଼ିଛି ବୋଲି ଓପିଲିପି ନିର୍ଦେଶକ କହିଥିଲେ।

ସୂଚନା ଅନୁଯାୟୀ ଚଳିତ କେନ୍ଦ୍ରୀୟ ଆର୍ଥିକ ବଜେଟ୍‌ରେ ଅନୁସୂଚିତ ଜନଜାତିଙ୍କ ପାଇଁ ୧୨,୪୬୧.୮୮ କୋଟିର ବଜେଟ୍‌ ବ୍ୟବସ୍ଥା କରାଯାଇଛି। ଯାହା ଗତବର୍ଷ ଠାରୁ ୭୦.୬୯ ପ୍ରତିଶତ ଅଧିକ ଅଟେ। ଗତବର୍ଷ ୮୪୫୧.୯୨ କୋଟିର ବଜେଟ୍‌ ରଖାଯାଇଥିଲା। କିନ୍ତୁ ୭୩୦୧ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା। ଯେଉଁ ପ୍ରମୁଖ କାର୍ଯ୍ୟକ୍ରମ ପାଇଁ ବଜେଟ୍‌ ବ୍ୟବସ୍ଥା କରାଯାଇଛି, ସେଥିରେ ସାମାଜିକ ସଙ୍ଗଠନକୁ ଅନୁଦାନ, ଏକଲବ୍ୟ ମଡେଲ୍‌ ସ୍କୁଲ, ଆଦିମ ଜନଜାତି ବା ପିଭିଟିଜିଙ୍କ ବିକାଶ ପାଇଁ ଟଙ୍କା ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଜନଜାତି ବିକାଶ ମିସନ, ଜନଜାତି ଗବେଷଣା ପ୍ରତିଷ୍ଠାନ ପାଇଁ ଟଙ୍କା ବ୍ୟବସ୍ଥାକୁ ହ୍ରାସ କରାଯାଇଛି। ପ୍ରି-ମାଟ୍ରିକ୍‌, ପୋଷ୍ଟ ମାଟ୍ରିକ୍‌, ଜାତୀୟ ସ୍କଲାର୍‌ସିପ ସମେତ ବିଭିନ୍ନ ପ୍ରକାର ବୃତ୍ତି ଯଥାସମ୍ଭବ ସମାନ ରଖାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ୨୦୧୯ରୁ ୨୦୨୧ ମସିହା ମଧ୍ୟରେ ୨୭୫(୧) ଅନ୍ତର୍ଗତରେ ଓଡ଼ିଶାକୁ ଯେତେ ଅର୍ଥ ଆବଣ୍ଟିତ କରାଯାଇଛି, ରାଜ୍ୟ ସେହି ଅର୍ଥ ବିନିଯୋଗ କରିବାରେ ବିଫଳ ହୋଇଛି। ୨୦୧୯ ମସିହାରେ ଆବଣ୍ଟିତ ଅର୍ଥ ମଧ୍ୟ ଖର୍ଚ୍ଚ ନହୋଇ ପଡ଼ିଛି। ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଅପରାଗତା ଯୋଗୁଁ ରାଜ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ତ୍ତମାନ ସ୍ଥିତିରେ ବଜେଟ୍‌ରେ ଯେଉଁଭଳି ରାଜ୍ୟକୁ ଗୌଣ କରାଯାଉଛି, ଆଗାମୀ ଦିନରେ ଏହା ରାଜ୍ୟ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସ୍ବର ଉତ୍ତୋଳନ ନହେବା ଆଶ୍ଚର୍ଯ୍ୟଜନକ ବୋଲି ବିଭିନ୍ନ ସାମାଜିକ କର୍ମକର୍ତ୍ତାମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର