ବ୍ରହ୍ମପୁର : ଜାଲ୍ ବିଇଡି ସାର୍ଟିଫିକେଟ୍ ପାଇଁ ଚାଲିଛି ଲକ୍ଷଲକ୍ଷ ଟଙ୍କାର କାରବାର। ଆନ୍ଧ୍ରପ୍ରଦେଶର ଏକ ବିଶ୍ବବିଦ୍ୟାଳୟ ଅଧୀନରେ ବିଇଡି ନାମଲେଖାଇ ଲକ୍ଷାଧିକ ଟଙ୍କା କାରବାରରେ ଜାଲ୍ ସାର୍ଟିଫିକେଟ୍ ଦିଆଯାଇଥିବା ନେଇ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି। ଗୋଟିଏ ଅଭିଯୋଗ ଆସିଥିବା ବେଳେ ଏହିଭଳି ଅନେକ ଘଟଣା ଘଟିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଅଭିଯୋଗକାରୀ ମନୋରଂଜନ ଗୌଡ଼ ବ୍ରହ୍ମପୁରର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ତାଙ୍କ ଅଭିଯୋଗକ୍ରମେ, ଜଣେ ଶିକ୍ଷକଙ୍କ ସହଯୋଗରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ସେ ପତ୍ନୀଙ୍କ ବିଇଡି ନାମ ଲେଖାଇଥିଲେ। ୨୦୧୯ରେ ତାଙ୍କର ବିଇଡି ପାଠ୍ୟକ୍ରମ ଶେଷ ହୋଇଥିଲା। ଏହାପରେ ସାର୍ଟିଫିକେଟ୍ ସମ୍ପର୍କରେ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିବାରୁ ସେ ବିଭିନ୍ନ ପ୍ରକାର ବାହାନା କରିଥିଲେ। ମନୋରଂଜନ ନିଜେ ବିଶ୍ବବିଦ୍ୟାଳୟ ଯାଇ ସାର୍ଟିଫିକେଟ୍ ଆଣିବାକୁ କହିବାରୁ, ସେ ବାରଣ କରିଥିଲେ। ଶେଷରେ ସେ ୧ମ, ୨ୟ, ୩ୟ, ୪ର୍ଥ ସେମିଷ୍ଟର ପରୀକ୍ଷାଫଳ ସହ ପ୍ରୋଭିଜିନାଲ୍ ସାର୍ଟିଫିକେଟ୍ ଦେଇଥିଲେ। ଏସବୁ ବାବଦରେ ମନୋରଂଜନଙ୍କୁ ଲକ୍ଷାଧିକ ଟଙ୍କା ଦେବାକୁ ପଡ଼ିଥିଲା। ତେବେ ସାର୍ଟିଫିକେଟକୁ ନେଇ ସନ୍ଦେହ ହେବାରୁ ମନୋରଂଜନ ଗୁଣ୍ଠୁରସ୍ଥିତ ବିଶ୍ବବିଦ୍ୟାଳୟକୁ ଯାଇ ବୁଝାବୁଝି କରିଥିଲେ। ସେଠାରୁ ଜାଣିବାକୁ ପାଇଲେ, ଯେ ତାଙ୍କ ପତ୍ନୀଙ୍କ ପ୍ରଥମ ଓ ତୃତୀୟ ପରୀକ୍ଷାଫଳ ୱିଥ୍ହେଲ୍ଡ ହୋଇଛି, ଏବଂ ତାଙ୍କୁ ଦିଆଯାଇଥିବା ପ୍ରୋଭିଜିନାଲ୍ ସାର୍ଟିଫିକେଟ୍ ନକଲି ଅଟେ। ସେ ଠକେଇ ଓ ପ୍ରତାରଣାର ଶିକାର ହୋଇଥିବା ଜାଣି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ଏହି ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଣକ ଗଂଜାମ ଜିଲ୍ଲାର ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ ହୋଇଥିବା ବେଳେ ତାଙ୍କୁ ଥାନାକୁ ଡକାଇ ପୁଲିସ ପଚରାଉଚରା କରିଛି। ଏଭଳି ନକଲି ସାର୍ଟିଫିକେଟ୍ ପ୍ରସ୍ତୁତ କରି ଲୋକଙ୍କୁ ଠକିବା ପଛରେ ଏକ ରାକେଟ୍ କାମ କରୁଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଉକ୍ତ ରାକେଟ୍କୁ ଠାବ କରିବା ପାଇଁ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିବା ସୂଚନା ମିଳିଛି।