ଛେଣ୍ଡିପଦା: ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥ ଜିନ୍ଦଲ ମ୍ୟାଟେରିଆଲ ଫାଟକ ସମ୍ମୁଖରେ ଟ୍ରକ୍ ଓ ଇନୋଭା କାର୍ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତି ୧୦ଟାରେ ଓଡି-୧୯-ଏଫ-୬୩୦୭ ନମ୍ବର ଟ୍ରକ ଅନୁଗୁଳ ପଟୁ ଛେଣ୍ଡିପଦା ଆଡ଼କୁ ଆସୁଥିଲା। ବିପରୀତ ଦିଗରୁ ଛେଣ୍ଡିପଦାରୁ ଅନୁଗୁଳ ଆଡକୁ ଆସୁଥିବା ଓଡି-୧୯-ଏମ-୬୯୩୫ ନମ୍ବର ଇନୋଭା କାର୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଇନୋଭାରେ ଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି। ଚାଳକ ସୁରକ୍ଷିତ ଥିବା ବେଳେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଛି। ଖବରପାଇ ନିଶା ଶିଳ୍ପାଞ୍ଚଳ ପୁଲିସ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରି ଆହତଙ୍କୁ ଅନୁଗୁଳ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ପୁଲିସ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।