ରାୟଗଡ଼ା: ସପୁରି ଚାଷ କରି ପରିଶ୍ରମର ମୂଲ ପାଉନାହାନ୍ତି ଡଙ୍ଗରିଆ। ସୁପରି ଗୋଟା ୫ରୁ ୧୦ଟଙ୍କାରେ ବିକ୍ରି କରୁଛନ୍ତି। ଅନ୍ୟ ପଟେ ବ୍ୟବସାୟୀ ଏହାକୁ କିଣି ବାହାରେ ୫ରୁ ୧୦ ଗୁଣା ଅଧିକ ଦରରେ ବିକୁଛନ୍ତି। ଦଲାଲ୍ ଓ ସାହୁକାରଙ୍କ ହାବୁଡ଼ରେ ପଡି ଏମାନେ ସର୍ବସ୍ବ ହରାଉଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଜୈବିକ ଉପାୟରେ ଟନ୍ ଟନ୍‌ ସପୁରି ଫଳାଉଥିବା ଡଙ୍ଗରିଆ ଅଭାବୀ ବିକ୍ରିର ଶିକାର ହୋଇ ଲାଭବାନ୍ ହୋଇପାରୁନାହାନ୍ତି।

Advertisment

ରାୟଗଡ଼ା ଜିଲ୍ଲା ନିୟମଗିରି ପାର୍ବତ୍ୟାଞ୍ଚଳ ଓ ଏହାର ପାଦଦେଶରେ ଥିବା ଅଞ୍ଚଳର ଏକର ଏକର ଜମିରେ ସପୁରି ଚାଷ କରୁଛନ୍ତି ଡଙ୍ଗରିଆ। ପ୍ରତି ବର୍ଷ ଟନ୍‌ ଟନ୍‌ ସପୁରି ଏଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ରାଜ୍ୟ ତଥା ପଡୋଶୀ ଆନ୍ଧ୍ରକୁ ଚାଲାଣ ହେଉଛି। ସପୁରି ପାଚିବା ପୂର୍ବରୁ ନିୟମଗିରି ଅଞ୍ଚଳରେ ସାହୁକାର ଏବଂ ଦଲାଲ୍ ପହଞ୍ଚି ଅଗ୍ରୀମ୍ ଟଙ୍କା ଦେଇଥାନ୍ତି। ଅମଳ ପୂର୍ବରୁ ହିଁ ଦର ଚୂଡ଼ାନ୍ତ ହୋଇଯାଉଥିବାରୁ ଚାହିଦା ଅନୁଯାୟୀ ଦର ମିଳୁନି ଡଙ୍ଗରିଆଙ୍କୁ। ଚଳିତ ବର୍ଷ ଡଙ୍ଗରିଆ ଉଚିତ୍ ଦର ପାଇନଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ରାସ୍ତାକଡ଼, ରେଳ ଷ୍ଟେସନ, ବ୍ଲକ ସଦର ମହକୁମାରେ ପସରା ମେଲାଇ ଡଙ୍ଗରିଆ ମହିଳା ଓ ପୁରୁଷ କିଛି ସପୁରି ମଧ୍ୟ ବିକ୍ରି କରିଥାନ୍ତି। ଆଦିମ ଜନଜାତି ଡଙ୍ଗରିଆଙ୍କ ପ୍ରତି ପରିବାର ଏହି ଚାଷ ଉପରେ ନିର୍ଭର କରିଥାନ୍ତି। ଉଚିତ ଦର ମିଳିଲେ ପ୍ରତି ପରିବାର ସପୁରିରୁ ବର୍ଷକୁ ପାଖାପାଖି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତେ। ଅନ୍ୟପକ୍ଷରେ ଅମଳ ସପୁରି ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ନଥିବାରୁ ଅନେକ ପରିମାଣ ଉତ୍ପାଦ ନଷ୍ଟ ହୋଇଥାଏ।

ଶୀତଳ ଭଣ୍ଡାର ଥିଲେ ସପୁରି ପାଖାପାଖି ୨ମାସ ପର୍ଯ୍ୟନ୍ତ ରହିପାରନ୍ତା। ଡଙ୍ଗରିଆଙ୍କ ବିଭିନ୍ନ ଉତ୍ପାଦ ବିକ୍ରିବଟା ପାଇଁ ଚାଟିକଣାଠାରେ ଆଦିବାସୀ ବଜାର ଖୋଲାଯାଇଥିଲା। ଅଳ୍ପ ଦିନ ଚାଲିବା ପରେ ଏହା ବନ୍ଦ ହୋଇ ପଡିଛି। ଅଭାବୀ ବିକ୍ରି ‌ରୋକିବା ସହ ସପୁରି ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଡଙ୍ଗରିଆଙ୍କ ଉନ୍ନୟନ ପାଇଁ ଥିବା ଡିକେଡିଏ ସଂସ୍ଥା କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।