ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଯୋଡ଼ି ହେଲାପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିବା ସହ ମନ୍ତ୍ରିମଣ୍ଡଳରୁ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। କିଛି ଅଘଟଣ ଆଶଙ୍କାରେ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ପୁଲିସ ଛାଉଣି ହୋଇଛି।
ଆଜି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରୀ ନୱାଜ ଅଭିଯୋଗ କରିଥିଲେ, ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାରେ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି। ସ୍କୁଲ୍ର ମାଲିକ ଗୋବିନ୍ଦ ସାହୁ ମନ୍ତ୍ରୀଙ୍କ ନିକଟତମ ଲୋକ। ଏହି ସ୍କୁଲ୍ରେ ଚାଲିଥିବା ଯୌନ କେଳେଙ୍କାରିରେ ମନ୍ତ୍ରୀ ଭାଗ ନେଇଛନ୍ତି। ତେଣୁ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ନ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ନେତା ନିହାର ବେହେରା, ସାଗର ପଟ୍ଟନାୟକ, ବାବୁ ଜେନା, ଅଖିଳେଶ ଯାଦବ, ବିଶ୍ବଭୂଷଣ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ମାଡ଼ କଲା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସ ସେମାନଙ୍କୁ ଗିରଫ କରି ନେଇଥିଲା। ମହିଳା କଂଗ୍ରେସ ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ମାଷ୍ଟର୍ କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଧାୟକ ସନ୍ତୋଷ ସିଂହ ସାଲୁଜା, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଥିଲା। କର୍ମୀମାନେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ସାହୁ, ରଶ୍ମି ମହାପାତ୍ର, ପ୍ରାଚୀ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।
ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରୀ ସିଂହ ଅଭିଯୋଗ କରିଥିଲେ ଯେ ଏହି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା କାରଣରୁ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରାଯିବାର ଷଡ଼ଯନ୍ତ୍ର ରଚାଯାଉଛି। ଏପରିକି ମନ୍ତ୍ରୀଙ୍କ ସହାୟତାରେ ଅଭିଯୁକ୍ତକୁ ଥାନାରୁ ଖସାଇ ଦିଆଯାଇଥିଲା। ‘ମାକୁ ସମ୍ମାନ’ର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି କ୍ଷମତାର ଅପବ୍ୟବହାର କରିଥିବା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ। ଏହି କାର୍ଯ୍ୟକ୍ରମରେ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ସୁରଥ ବିଶ୍ବାଳ, ହରେକୃଷ୍ଣ ଖୁଣ୍ଟିଆ, ସୁନିଲ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଅପରପକ୍ଷରେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ ୫ଜଣିଆ ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରିଛନ୍ତି।
ଅନ୍ୟପକ୍ଷରେ ବିରୋଧୀ ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ। ସେ କହିଛନ୍ତି ଯେ ପ୍ରତ୍ୟେକ ସ୍ପର୍ଶକାତର ଅପରାଧିକ ମାମଲାକୁ ସମ୍ବେଦନଶୀଳ କରିବା ପାଇଁ ଓଡ଼ିଶା ବିଜେପିର ଏକ ଅଭ୍ୟାସ। ସେମାନେ କେବେ ହେଲେ ପୀଡ଼ିତ କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ଦିଆଯିବା ନିଶ୍ଚିତ କରିବାକୁ ଚିନ୍ତା କରନ୍ତି ନାହିଁ। ଆମେ ସର୍ବଦା କହିଛୁ ଯେ ଆଇନ ତା’ ବାଟରେ ଯିବା ଉଚିତ। ଆମେ ଆଶା କରୁଛୁ ଦୋଷୀଙ୍କୁ ଦଣ୍ଡ ଦିଆଯିବ ଏବଂ ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବ। କିନ୍ତୁ ଶସ୍ତା ରାଜନୀତି କରି ଏହାକୁ ସମ୍ବେଦନଶୀଳ କରିବା ହେଉଛି ଓଡ଼ିଶା ବିଜେପିର ଉଦ୍ଦେଶ୍ୟ। ଓଡ଼ିଶାବାସୀ ବିଜେପିର କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ଏବଂ ଶସ୍ତା ରାଜନୀତି କରିଥିବାରୁ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ସଂଜୟ ବାବୁ କହିଛନ୍ତି।