ସୋର/ପରଜଙ୍ଗ/କଙ୍କଡ଼ାହାଡ଼/ କଣ୍ଟାମାଳ : ବାଲେଶ୍ବରର ସୋର ଓ ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରେ ଆଜି ଦୁଇଟି ଦୁର୍ଘଟଣା ଘଟି ୬ ଜଣ ପ୍ରାଣ ହରାଇଛନ୍ତି। ଉଭୟ ଘଟଣାରେ କାର୍ ସହିତ ଟ୍ରକ୍ର ଧକ୍କା ହୋଇଥିବା ଜଣାପଡ଼ିଛି। ସେହିଭଳି, ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ ଆଜି ଅପରାହ୍ନରେ ଏକ ବଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।
ବାଲେଶ୍ବର ଜିଲ୍ଲା ସୋର ୟୁଏନ୍ କଲେଜ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍କୁ ଏକ ସ୍କର୍ପିଓ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ୨ ଜଣ ହେଲେ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେକ୍ ମୁତ୍ତାର ଓ ସେକ୍ ଜମାଲ।
ଅନୁଗୁଳର ନାଲ୍କୋରୁ ୪ଜଣ ସାଙ୍ଗ କଲ୍ୟାଣ ସୋରେନ୍ (୨୯), ବେଗାନ ହେମ୍ବ୍ରମ୍ (୨୭), ବିନୟ କୁଜୁର (୨୭), ଚାମ୍ପିଆ ହେମ୍ବ୍ରମ ଗତକାଲି ରାତିରେ ପାଳଲହଡ଼ାରେ ରହୁଥିବା ଅନ୍ୟ ଜଣେ ସାଥୀ ଦୀପକ ତିରିଆଙ୍କ ଘରକୁ ଯାଇଥିଲେ। ସେଠାରେ ରାତିରେ ସେମାନେ ଭୋଜି କରିଥିଲେ। ଆଜି ଭୋର୍ରୁ ଏକ ଜାଇଲୋ କାର୍ (ଓଡି ୦୨ଏସି ୨୩୧୧)ରେ ଚାରିବନ୍ଧୁ ଦଦରାଘାଟି ରାସ୍ତା ଦେଇ ନାଲକୋନଗର ଘରକୁ ଫେରୁଥିଲାବେଳେ ତାଙ୍କ କାର୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ, କାର୍ରେ ବସିଥିବା କଲ୍ୟାଣ ଓ ବେଗାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ସେହିଭଳିଳ ପଲସାଗୋରାର ସୂର୍ଯ୍ୟ ଦାସ (୫୫), ତାଙ୍କ ପତ୍ନୀ ଶୋଭାଗିନୀ ଦାସ (୫୦), ପୁଅ ରାଜେନ୍ଦ୍ର ଦାସ (୨୪) ସୋମବାର ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବଲେରୋ (ଓଡି୦୮ଏ-୧୪୫୬)ରେ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁକୁ ଯାଇଥିଲେ। ସେଠାରୁ ଅପରାହ୍ଣ ୫ଟାରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ବର୍ଷା ହେବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ତାଳଗଛକୁ ଖବ୍ ଜୋର୍ରେ ଧକ୍କା ଦେଇଥିଲା। ଡାକ୍ତରଖାନାରେ ସୂର୍ଯ୍ୟ ଦାସ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି।
ଧକ୍କା ଦେଲେ, ନିଜେ ଗଲେ
ପାଣିକୋଇଲି : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଏନଏଚ୍-୧୬ର ଶର୍ମା ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।ଏକ ଟ୍ରକ୍ ଧକ୍କାରେ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଉତ୍ତରାବାଦ ଗ୍ରାମର କାଳନ୍ଦୀ ଜେନାଙ୍କ ପୁଅ ସମୀର ରଂଜନ ଜେନା (୨୨)ଙ୍କ ମୃତ୍ୟୁ ହୋଇଯାଇଥିଲା। ସାଙ୍ଗ ସନ୍ତୋଷ ମାଝୀ ଚଣ୍ତିଖୋଲରୁ ନିଜ ଗାଁ ଉତ୍ତରାବାଦକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡ଼ି ରଖି ରାସ୍ତାର ଏପାଖରୁ ସେପାଖକୁ ଦୌଡ଼ି ଯାଉଥିଲେ। ଏହି ସମୟରେ ଭଦ୍ରକ ପଟୁ ଆସୁଥିବା ଏକ ମାରୁତି କାର (ଡ୍ଲୁବି ୩୬ ଜି ୫୩୩୫) ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ପାଣିକୋଇଲି ପୁଲିସ ପହଞ୍ଚି ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ପୁଲିସ ଟ୍ରକ, ବାଇକ ଓ କାର୍କୁ ଜବତ କରିଛି।
ଡ୍ରାଇଭର୍ ଜଣକ ଧକ୍କା ଦେଇ ନିଜେ ଖସି ଚାଲିଯିବାକୁ ଚେଷ୍ଟା କରିଥିଲେ। ମାତ୍ର, ମୃତ୍ୟୁ ଯେମିତି ତାଙ୍କୁ ଅପେକ୍ଷା କରିଥିଲା। ଶେଷରେ, ସେ ବି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ମାତ୍ର, ଡ୍ରାଇଭରଙ୍କ ପରିଚୟ ମିଳିପାରନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/01_11_2018-truck_bike_accident_18595780.jpg)