ମାଲକାନଗିରି: ନକ୍ସଲଙ୍କ ନିସ୍ତୁକ ମାଡ଼ ପରେ ପୁଣି ଗୋଟିଏ ପରିବାର ଗାଁ ଛାଡ଼ିଛନ୍ତି। ଭିଟା ମାଟି ଛାଡ଼ି ଦୁଇ ସପ୍ତାହ ହେଲା ସୁରକ୍ଷିତ ଆଶ୍ରୟ ଖୋଜୁଛି ଏହି ପରିବାର। ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ପୁଲିସ ଏହି ପରିବାର ନିକଟରେ ପହଞ୍ଚି ନଥିବା ବେଳେ ବୁଢ଼ୀ ମା, ପତ୍ନୀ ଏବଂ ଦୁଇ ଛୁଆଙ୍କ ସହ ଦୁର୍ବିଷହ ଜୀବନ ବିତାଉଛନ୍ତି ଗଙ୍ଗା ମାଢ଼ି। ମାଲକାନଗିରି ଜିଲ୍ଲାରେ ଯାହା ଉପରେ ସନ୍ଦେହ ହେଲା, ତା’କୁ ପ୍ରଜାକୋର୍ଟକୁ ଉଠାଇ ନେଇଥାନ୍ତି ମାଓବାଦୀ। ନିସ୍ତୁକ ପିଟି ଚେତାବନୀ ଦେଇ ଛାଡ଼ି ଦିଅନ୍ତି କିମ୍ବା ନିର୍ମମ ଭାବେ ହତ୍ୟା କରିବାର ବହୁ ନଜିର ରହିଛି। ସଦ୍ୟତମ ଘଟଣାରେ ନକ୍ସଲଙ୍କ ଏମିତି ଆକ୍ରୋଶର ଶିକାର ହୋଇଛନ୍ତି ମାଥିଲି ବ୍ଲକ ଟେମରୁପାଲୀ ପଞ୍ଚାୟତ ଅନ୍ତର୍ଗତ କୋଟୁଆପଦର ଗାଁର ଗଙ୍ଗା ମାଢ଼ି। ନକ୍ସଲଙ୍କ ଦ୍ବାରା ବିତାଡ଼ିତ ହୋଇ ସର୍ବସ୍ବ ହରାଇଥିବା ଗଙ୍ଗା ବଞ୍ଚିବା ପାଇଁ ଏବେ ସଂଘର୍ଷ କରୁଛନ୍ତି।

Advertisment

ନିଜର ଅଳ୍ପ କିଛି ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ଗଙ୍ଗା। ପ୍ରାୟ ଦୁଇ ସପ୍ତାହ ତଳେ ତାଙ୍କ ଉପରେ ନକ୍ସଲଙ୍କ ସନ୍ଦେହୀ ନଜର ପଡ଼ିଥିଲା। ହଠାତ୍ ଦିନେ ତାଙ୍କୁ ବଳପୂର୍ବକ ପ୍ରଜାକୋର୍ଟକୁ ଟେକିନେଲେ। ପୁଲିସ ଇନଫର୍ମର ଆଖ୍ୟା ଦେଇ ନିସ୍ତୁକ ପିଟିଲେ। ଏକତରଫା ଭାବେ ପ୍ରଜାକୋର୍ଟରେ ଶୁଣାଣି ହୋଇଥିବା ବେଳେ ଜୀବନରେ ମାରି ଦେବାକୁ ବି ଚେତାବନୀ ଦିଆଗଲା। ଗ୍ରାମବାସୀଙ୍କ ସମ୍ମୁଖରେ ମାଡ଼ ଖାଇ ଅପମାନିତ ହୋଇଥିବା ଗଙ୍ଗା ଏହାପରେ ଜୀବନ ବିକଳରେ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ରାତାରାତି ପରିବାର ସହ ଗାଁ ଛାଡ଼ିବା ପରେ ସୁରକ୍ଷିତ ଆଶ୍ରୟ ଖୋଜିବା ଆରମ୍ଭ କରିଥିଲେ। ବହୁ କଷ୍ଟରେ ଯାଇ ଧାକଡ଼ରାଶି ଗାଁରେ ଯାଇ ପହଞ୍ଚିଥିଲେ। ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଗାଈ ଚରାଇ ଯାହା ରୋଜଗାର ହେଉଛି ସେଥିରେ କଷ୍ଟେମଷ୍ଟେ ଚଳି ଯାଉଛନ୍ତି। ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ତାଂକୁ କୌଣସି ସହଯୋଗ ମିଳିନଥିବା ସେ କହିଛନ୍ତି। ନିଜର ଜମିବାଡ଼ି, ଘରଦ୍ବାର ସବୁ ନକ୍ସଲ ଭୟରେ ଛାଡ଼ିଛନ୍ତି। ପରିବାରର ସେ ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି। ଦୁଇ ମୁଠା ଦାନା ଯୋଗାଡ଼ କରିବା ପାଇଁ ବହୁ ପରିଶ୍ରମ କରୁଥିଲେ। ସେ କେବେ ମଧ୍ୟ ପୁଲିସ ସହ କୌଣସି ସଂପର୍କ ରଖିନଥିଲେ। କେହି ତାଙ୍କ ବିଷୟରେ ମିଥ୍ୟା ଖବର ଦେଇ ଫସାଇ ଦେଇଛି। ନକ୍ସଲ ବି ଏକତରଫା ଭାବେ ତାଙ୍କୁ ଟାର୍ଗେଟ କରିଥିଲେ। ଯଦି ସରକାରଙ୍କ ତରଫରୁ ଏଠାରେ ରାସନ କାର୍ଡ ଯୋଗାଇ ଦିଆଯିବ, ତାଙ୍କ ପରିବାରକୁ ଖାଇବାକୁ ଦୁଇ ମୁଠା ମିଳିଯିବ ବୋଲି କହିଛନ୍ତି। ପ୍ରଶାସନ ଏବଂ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।