ରାଉରକେଲା: ରାଉରକେଲା ଜେଲ୍‌ ରୋଡ୍‌ସ୍ଥ ପର୍ଯ୍ୟ‌ବେକ୍ଷଣ ଓ ସ୍ବତନ୍ତ୍ର ଆବାସରୁ ତିନିଜଣ ବିଚାରାଧୀନ ନାବାଳକ ଅଭିଯୁକ୍ତ ଫେରାର ହେବାର ୪୮ ଘଣ୍ଟାରୁ ଅଧିକ ସମୟ ବିତିଲାଣି। ତେବେ ଏଯାଏ ରଘୁନାଥପାଲି ଥାନା ପୁଲିସ ‌ଫେରାର ଅଭଯୁକ୍ତଙ୍କ ଟେର୍‌ ପାଇପାରୁନି। ହତ୍ୟା, ଦୁଷ୍କର୍ମ, ଡକାୟତି ଆଦି ସଙ୍ଗୀନ ଅଭିଯୋଗରେ ପର୍ଯ୍ୟବେକ୍ଷଣ ଗୃହରେ ଥିବା ସମ୍ବଲପୁର, ବଲାଙ୍ଗୀର ଓ ନୟାଗଡ଼ର ତିନିଜଣ ଅଭିଯୁକ୍ତ(୧୮ରୁ ୨୧ ବର୍ଷ) ରବିବାର ରାତିରୁ ‌ପର୍ଯ୍ୟବେକ୍ଷଣ ଆବାସର ପାଚେରି ଡେଇଁ ପାର୍‌ ହୋଇଯାଇଛନ୍ତି। ନିୟମିତ ବ୍ୟବଧାନରେ ବିଚରାଧୀନ ଏକଦୀ ଫେରାର ହେବା, ଏଠାକାର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନିକଟ ଅତିତରେ ଏକାଧିକବାର ସମାନ ଘଟଣା ଦେଖିବାକୁ ମିଳିଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିରାଚରିତ ଅବହେଳାରେ ସୁଧାର ଆସୁନଥିବାରୁ ସ୍ଥିତିରେ ପରିବର୍ତ୍ତନ ହେଉନି।
Advertisment
କେବଳ ଏହି ତିନି ଜଣ ନାବାଳକ ନୁହନ୍ତି; ବରଂ ବିଗତ ଦିନରେ ଏକାଧିକ ଜଘନ୍ୟ ଘଟଣାରେ ସଂପୃକ୍ତ ନାବାଳକ ପର୍ଯ୍ୟବେକ୍ଷଣ ଗୃହ/ବାଳସୁଧାର ଗୃହର ପାଚେରି ଡେଇଁ ଅନାୟାସରେ ଚମ୍ପଟ୍‌ ମାରିଥିବାର ନଜିର ରହିଛି। ଗତ ୨୦୨୦ ଅଗଷ୍ଟ ୩୦ ତାରିଖ ମଧ୍ୟରାତ୍ରିରେ ୫ ଜଣ ନାବାଳକ ସର୍ବେକ୍ଷଣ ଆବାସରୁ ଫେରାର ହୋଇଯାଇଥିଲେ। ଫେରାର ନାବାଳକଙ୍କ ମଧ୍ୟରୁ ୪ ଜଣ ସୁନ୍ଦରଗଡ଼ ଜିଲ୍ଲାର ଓ ଜଣେ କେନ୍ଦୁଝର ଜିଲ୍ଲାର ବାସିନ୍ଦା। ସେମାନେ ଜେଲ୍‌ରେ ଦିଆଯାଇଥିବା ବେଡ୍‌ସିଟ୍‌କୁ ଦଉଡ଼ିଭାବେ ବ୍ୟବହାର କରି ପ୍ରାୟ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରି ଡେଇଁ ପଳାଇବାରେ ସକ୍ଷମ ହୋଇଥିଲା। ଏହାର ଚାରି ମାସ ପୂର୍ବେ, ଅର୍ଥାତ୍‌ ୨୦୨୦ ଏପ୍ରିଲ ମାସରେ ସମାନ ଶୈଳୀରେ ୪ ଜଣ ନାବାଳକ ଚମ୍ପଟ୍‌ ମାରିଥିଲେ। ସେହିଭଳି ୨୦୧୨ ମେ’ ୧୭ ତାରିଖରେ ଜଣେ ନାବାଳକ ପାଚେରି ଡେଇଁ ଫେରାର ହୋଇଯାଇଥିବାବେଳେ ଦୁଇ ଜଣ ଧରାପଡ଼ିଯାଇଥିଲେ। ଉକ୍ତ ଦିନ ସକାଳ ପ୍ରାୟ ସାଢ଼େ ୯ଟାରେ ତିନି ଜଣ ନାବାଳକ ଗାଧେଇବା ବାହାନାରେ ଯାଇ ଗାମୁଛା ସହାୟତାରେ ପାଚେରି ଡେଇଁବାକୁ ଉଦ୍ୟମ କରୁଥିଲେ। ତେବେ ସୁରକ୍ଷାକର୍ମୀ ଅବଗତ ହେବା ପୂର୍ବରୁ ଜଣେ ଅଭିଯୁକ୍ତ ଡେଇଁ ଫେରାର ହୋଇଯାଇଥିବାବେଳେ ଦୁଇ ଜଣ ଧରାପଡ଼ିଯାଇଥିଲେ।
୨୦୧୧ ଜୁନ ୨୦ ତାରିଖ ବିଳମ୍ବିତ ରାତିରେ ୭ ଜଣ ନାବାଳକ ଝରକା ତାଡ଼ି ଚମ୍ପଟ୍‌ ମାରିଥିଲେ। ଏମାନଙ୍କ ଭିତରେ ମାଓବାଦୀ ସଂପୃକ୍ତି ଅଭିଯୋଗରେ ବଡ଼ଗାଁ ଅଞ୍ଚଳର ଜଣେ ନାବାଳକ ଥିବାବେଳେ ଲାଠିକଟା ଓ ଭୁବନେଶ୍ବରର ୩ଜଣ ଡକାୟତି ଅଭିଯୁକ୍ତ, ଦେବଗଡ଼ର ୨ ଜଣ ଦୁଷ୍କର୍ମ ଅଭିଯୁକ୍ତ ଓ ସମ୍ବଲପୁରର ଜଣେ ନାବାଳକ ଡ୍ରଗ୍ସ ମାମଲାରେ ବାଳସୁଧାର ଗୃହରେ ଥିଲେ। ଏହାର ଠିକ ୫ ମାସ ପୂର୍ବେ, ଅର୍ଥାତ୍‌ ୨୦୧୧ ଫେବ୍ରୁଆରି ୬ ତାରିଖରେ ୩ ଜଣ ନାବାଳକ ଫେରାର ହୋଇଯାଇଥିଲା। ବାଳସୁଧାର ଗୃହରୁ ଏଭଳି ନାବାଳକ ଫେରାର ହେବାର ଲମ୍ବା ତାଲିକା ରହିଛି। ତେବେ ଅଭିଯୁକ୍ତ ଯେଉଁ ତ୍ରୁଟିବିଚ୍ୟୁତିର ଫାଇଦା ଉଠାଉଛନ୍ତି; ସେଥିରେ ବର୍ଷବର୍ଷ ହେଲା ସୁଧାର ଅଣାଯାଉନଥିବା ଅଭିଯୋଗ ହୁଏ।