ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ଦିନ ୫୧୦ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିରେ ୩୫୮ ଏଲୋପ୍ୟାଥିକ, ୧୧୬ ହୋମିଓପ୍ୟାଥିକ ଡାକ୍ତର ଓ ୩୬ ହୋମିଓପ୍ୟାଥିକ ଅଧ୍ୟାପକ ରହିଛନ୍ତି। ଏଥିପାଇଁ ଲୋକସେବା ଭବନର କନଭେନସନ ସେଣ୍ଟରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ମିସନ୍ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଓ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ସିଦ୍ଧାନ୍ତ ଉପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ପର୍ଯ୍ୟବେସିତ। ରାଜ୍ୟର ସାଢ଼େ ୪କୋଟି‌ ଲୋକଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବା ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ସମସ୍ତେ ଯେପରି ଉନ୍ନତମାନର ‌ସ୍ବାସ୍ଥ୍ୟ ସୁବିଧା ପାଇପାରିବେ ଓ ଲୋକଙ୍କ ପକେଟ ବାହାର ଖର୍ଚକୁ କମିବ ତାହାପ୍ରତି ରାଜ୍ୟ ସରକାର ଦୃଢ଼ ପରିକର।

ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ ପ୍ରତିବର୍ଷ ରାଜ୍ୟର ସ୍ବାସ୍ଥ୍ୟ ବଜେଟ୍‌ ବଢ଼ି ଚାଲିଛି। ୨୦୧୯/୨୦ ଆର୍ଥିକ ବର୍ଷରେ ଏହା ୬୮୦୦ କୋଟିରୁ ଅଧିକ ଥିବା ବେଳେ ୨୦୨୨/୨୩ବର୍ଷରେ ଏହା ୧୨ହଜାର କୋଟିରୁ ଅଧିକ ରହିଛି। ଯାହାକି ରାଜ୍ୟର ସମୁଦାୟ ବଜେଟ୍‌ର ୬ ପ୍ରତିଶତ। ଗତ ୩ବର୍ଷରେ ସ୍ବାସ୍ଥ୍ୟ ବଜେଟ୍‌ ଦୁଇଗୁଣ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ମଡେଲ ୫-ଟି ଉପରେ ପର୍ଯ୍ୟବେସିତ। ନିଯୁକ୍ତିପତ୍ର ପାଇଥିବା ଡାକ୍ତରମାନେ ରାଜ୍ୟର ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ସହିତ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ଉପରେ ଲୋକଙ୍କ ଭରସା ବଢ଼ାଇବାରେ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଲେ, ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ଅନ୍ତର୍ଜାତୀୟସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନବନିଯୁକ୍ତ ଡାକ୍ତରମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ସେ ଆହ୍ବାନ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟର ସଫଳତା ଉପରେ ଆଲୋକପାତ କରିଥିଲେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଡାକ୍ତରଙ୍କ ଉପରେ ଯଥେଷ୍ଟ ଭରସା ରହିଛି। ତେଣୁ ସେମାନେ ଲୋକଙ୍କ ଆଶାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବା ଜରୁରୀ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ।

୫-ଟି ସଚିବ ଭିକେ ପାଣ୍ଡିଆନ୍ ନବନିଯୁକ୍ତ ଡାକ୍ତରଙ୍କ ସହିତ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ସିଦ୍ଧାନ୍ତ ଉପରେ ମତ ରଖିଥିଲେ। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରୁ ଗୁରୁତ୍ବ ଦେଇ ଆସୁଛନ୍ତି। ଲୋକଙ୍କ ଜୀବନ ରକ୍ଷା କରିବା କ୍ଷେତ୍ରରେ ଓଡ଼ିଶା କିଭଳି କାର୍ଯ୍ୟ କରୁଛି ତାହା ବିଶ୍ବବାସୀ ଦେଖିଛନ୍ତି। ତେଣୁ ଡାକ୍ତରମାନେ ମଧ୍ୟ ସମାନ ସିଦ୍ଧାନ୍ତ ସହିତ ଚିକିତ୍ସା ପାଇଁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ଜୀବନ କିଭଳି ରକ୍ଷା ହୋଇପାରିବ ତାହାକୁ ଗୁରୁତ୍ବ ଦେବା ଜରୁରୀ। ଲୋକଙ୍କ ସେବା କରିବା ସମୟରେ ସ୍ବଚ୍ଛତା ରଖିବା ଲାଗି ସେ ଆହ୍ବାନ କରିଥିଲେ। ପ୍ରାରମ୍ଭରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟ ଆୟୁଷ ନିର୍ଦେଶକ ଧନ୍ୟବାଦ ଦେଇଥିଲେ।