ମାଲକାନଗିରି : ଜନ୍ତୁରାଇ ଗାଁରେ ଗତ ୨୫ତାରିଖ ବିଳମ୍ବି ରାତିରେ ନକ୍ସଲ-ନିରୀହ ଜନତା ଖଣ୍ଡଯୁଦ୍ଧରେ ଦୁଇ ଭାଗ ହୋଇଗଲେ ବିଚ୍ଛିନ୍ନାଞ୍ଚଳବାସୀ। ଯାହା ଫଳରେ ପୁଣି ବିଚ୍ଛିନ୍ନାଞ୍ଚଳରେ ସୃଷ୍ଟି ହୋଇଛି ଅଶାନ୍ତ ବାତାବରଣ। ପୂର୍ବରୁ ଗୋଟିଏ ପଟେ ପୁଲିସକୁ ସମର୍ଥନ କରୁଥିବା ଲୋକ ଏବଂ ଅନ୍ୟପଟେ ରହିଥିଲେ ନକ୍ସଲ ସମର୍ଥକ। ଏହାରି ମଧ୍ୟରେ ୨୫ତାରିଖ ଘଟଣା ପରେ ପୁଣି ତୃତୀୟ ପକ୍ଷ ସୃଷ୍ଟି ହୋଇଛି। ଏହି ପକ୍ଷ ପୁଲିସ କିମ୍ବା ନକ୍ସଲ କାହାକୁ ବି ସମର୍ଥନ କରୁନଥିବା ଦାବି କରିଛି। ଆଜି ପ୍ରଜାମେଳି କରି ଆମକୁ ଶାନ୍ତିରେ ବଞ୍ଚିବାକୁ ଦିଅ ବୋଲି ଦାବି କରିଛନ୍ତି। ତେଣୁ ବିଚ୍ଛିନ୍ନାଞ୍ଚଳରେ ଏବେ ତ୍ରିକୋଣୀୟ ଲଢ଼େଇ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ତୃତୀୟ ପକ୍ଷ ସହ ପରୋକ୍ଷରେ ନକ୍ସଲ ରହିଥିବା ଶୁଣାଯାଉଛି।

Advertisment

ଆଜି ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତର ହଜାର ହଜାର ଲୋକ ଏକତ୍ର ହୋଇ ପ୍ରଜାମେଳି କରିଥିଲେ। ଆଲୋଚନା ମଧ୍ୟରେ ୨୫ ତାରିଖ ରାତିରେ ଯାହା ଘଟିଲା ତାହା ନକ୍ସଲ ଏବଂ ସେହି ୩ଟି ଗାଁ ମଧ୍ୟରେ ସୀମିତ ରହୁ। ଆମକୁ ସେଥିରେ ସଂପୃକ୍ତ କରାନଯାଉ। ତୁରନ୍ତ ଆମ ଉପରେ ହେଉଥିବା ନିର୍ଯାତନାକୁ ବନ୍ଦ କରାଯାଉ। ନଚେତ ଆମେ ମଧ୍ୟ ଧନୁତୀର ଧରିବାକୁ ବାଧ୍ୟ ହେବୁ ବୋଲି ପ୍ରଜାମେଳିରେ ଚେତାବନୀ ଦିଆଯାଇଥିଲା।

ସେହିପରି ନକ୍ସଲଙ୍କୁ ବିରୋଧ କରୁଥିବା ଗୋଷ୍ଠୀ ମଧ୍ୟ ଆଜି ଏକାଠି ହୋଇଥିଲେ। ଘଟଣା ଦିନ ରାତିରେ ହୋଇଥିବା ଘରପୋଡ଼ି ଏବଂ ଲୁଟ୍‌ପାଟକୁ ନେଇ ଆଲୋଚନା କରାଯାଇଥିଲା। ଉତ୍ତେଜନାପୂର୍ଣ୍ଣ ଭାଷଣ ମଧ୍ୟରେ ‘ମରିବୁ ପଛେ ଛାଡ଼ିବୁ ନାହିଁ’ ବୋଲି ଲୋକେ କହିଥିଲେ।

ମାତ୍ର ୫ଶହ ମିଟର ଦୂରତା ମଧ୍ୟରେ ପଣସପୁଟ ଏବଂ ଯଡ଼ାମ୍ବରେ ଉଭୟ ଗେଷ୍ଠୀର ବୈଠକ ହୋଇଥିଲା। ବଡ଼ କଥା ହେଲା ଉଭୟ ଗୋଷ୍ଠୀ ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ପାରଂପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରଜାମେଳିରେ ଯାଇ ପହଞ୍ଚିଥିଲେ। ତେଣୁ ଯେ କୌଣସି ମୁହୂର୍ତ୍ତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ମାରପିଟ୍ ହେବା ଅଶଙ୍କା ପ୍ରକାଶ ପାଇଥିଲା। ଯଦିଓ ଆଜି ସେମିତି କିଛି ହୋଇ ନଥିଲା ତଥାପି ଆଗକୁ ମୁହାଁମୁହିଁ ହୋଇ ପରସ୍ପରକୁ ଆକ୍ରମଣ କରିବା ସମ୍ଭାବନା ରହିଛି। ଯଦି ତୁରନ୍ତ କୌଣସି ପଦକ୍ଷେପ ନିଆନଯାଏ ତେବେ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହୋଇଯିବ ବୋଲି ମତ ପ୍ରକାଶ ପାଇଛି। ତେଣୁ ପ୍ରଶାସନ ଏବଂ ପୁଲିସ ଏଥିପ୍ରତି ଦୃଷ୍ଟିଦେଇ ବିଚ୍ଛିନ୍ନାଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଦାବି ହୋଇଛି।