ପୁରୀ: ମଦ ପିଇ ନିଶାସକ୍ତ ଅବସ୍ଥାରେ ତିନି ଜଣ କନେଷ୍ଟବଳ ଆଜି ରାତିରେ ଧରାପଡ଼ିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା କିଆକାଣ୍ଡିର ଶିଶିର ମୁର୍ମୁ, ଖୋର୍ଧା ଜିଲ୍ଲା ବାଣପୁରର ସଂଜୟ ମହାନ୍ତି ଏବଂ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ନିରଞ୍ଜନ ବାରିକ। ଏମାନେ ଟୁରିଷ୍ଟ ଫାଣ୍ଡିରେ ନିଯୁକ୍ତି ପାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୧୦ଟା ବେଳେ ସିଟି ଡିଏସ୍ପି କ୍ଷୀରସାଗର ନାୟକ କୌଣସି ସୂତ୍ରରୁ ଖବର ପାଇ ଅଚାନକ ସ୍ଥାନୀୟ ଟୁରିଷ୍ଟ ଫାଣ୍ଡି ଉପରେ ଚଢ଼ଉ କରିଥିଲେ। ତିନି ଜଣ କନେଷ୍ଟବଳ ସେଠାରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ପୁରୀ ଏସ୍ପି ଉମାଶଙ୍କର ଦାଶ କହିଛନ୍ତି, ୩ ଜଣଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।