ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ଗୁରୁବାର ଦିନ ଦୁଇଟି ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଶଗଡ଼ପଟା ଗ୍ରାମ ଭୁଲୁକୁମୁଣ୍ଡା ସାହିର ସାଧୁ ଚରଣ ମୁଣ୍ଡା (୪୦) ଏକ ବାଇକରେ ହରିଚନ୍ଦନପୁର ଆସୁଥିବାବେଳେ ମଙ୍ଗଳପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ସୁରକ୍ଷା ବାଡ଼ରେ ପିଟି ହୋଇଥିଲେ। ଗୁରୁତର ଅବସ୍ଥାରେ ଦମକଳ ବାହିନୀ ତାଙ୍କୁ ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Advertisment

ସେହିପରି ଜିରାଙ୍ଗ ପାଞ୍ଚାୟତ କୁଣ୍ଡଳପାଣି ଗ୍ରାମର କୁବେର ମହାନ୍ତ (୬୨) ଏକ ବାଇକରେ ପନାସିଆ ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିବା ବେଳେ  ବିପରୀତ ଦିଗରୁ  ବୁଢ଼ାଖମଣ ପଞ୍ଚାୟତ  ପନାସିଆ ଗ୍ରାମର ଟଙ୍କଧର ମହାନ୍ତ (୩୫) ଓ ଦୁର୍ଯ୍ୟୋଧନ ମହାନ୍ତ (୩୬) ଏକ ବାଇକରେ ହରିଚନ୍ଦନପୁରରୁ ନିଜ ଗ୍ରାମକୁ ଫେରୁଥିଲେ। ମାନପୁର ଗ୍ରାମର ଏକ ବୁଲାଣି ରାସ୍ତାରେ ମୁଁହାମୁହିଁ ଧକ୍କା ହୋଇଥିଲା। ଆହତ ୩ ଜଣଙ୍କୁ ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବୁଲାଣି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ହମ୍ପସ ନିର୍ମାଣ ପାଇଁ ଦାବି ହେଉଛି।