ବଲାଙ୍ଗୀର : ଶୀତଳଷଷ୍ଠୀ ଯାତ୍ରା ସମୟରେ ବଲାଙ୍ଗୀର ସହରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମଙ୍ଗଳବାର ରାତିରେ ଯାତ୍ରା ଦେଖିସାରି ଫେରୁଥିବା ସମୟରେ ସହରର ମୁଖ୍ୟରାସ୍ତା ନୃସିଂହ ମନ୍ଦିର ସାମ୍ନା ଗଳି ଛକରେ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଛୁରାମାଡ଼ରେ ଗେଟସରବରପଡ଼ାର ସରୋଜ ପାଣିଗ୍ରାହୀ (୨୫ବର୍ଷ)ଙ୍କ ମୃତ୍ୟୁ ଘଟିଛି ଏବଂ କନ୍ଧପାଲିର ପ୍ରେମ ସାହୁ ଗୁରୁତର ଆହତ ହୋଇଛନ୍ତି। ପ୍ରେମ ସାହୁ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ଏବେ ସୋସିଆଲ ମଡିଆରେ ଭାଇରାଲ୍ ହୋଇଛି। ଘଟଣାକୁ ନେଇ ବଲାଙ୍ଗୀର ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରୁଥିବା ଏସ୍ଡିପିଓ ତୋଫାନ ବାଗ କହିଛନ୍ତି। କିନ୍ତୁ ଏଯାଏଁ ହତ୍ୟାକାରୀକୁ ପୁଲିସ ଗିରଫ କରିପାରିନି।
ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ଜମୁଛି। ମଙ୍ଗଳବାର ରାତିରେ ଯାତ୍ରା ଦେଖିସାରି ଭୋର୍ ୪ଟାରେ ଫେରିବା ସମୟରେ ସରୋଜ ଓ ପ୍ରେମ ନୃସିଂହ ମନ୍ଦିର ଛକରେ ଛିଡ଼ା ହୋଇଥିଲେ। ହଠାତ୍ ସ୍କୁଟିରେ ବରପାଲିପଡ଼ାର ଆକାଶ ଓ ବିମଳ ନାମକ ଦୁଇଜଣ ଯୁବକ ଆସି ସରୋଜଙ୍କ ସହ ଯୁକ୍ତିତର୍କ କରିବା ସହ ଛୁରାରେ ଆକ୍ରମଣ କରିଥିଲେ ବୋଲି ଆହତ ପ୍ରେମ ପ୍ରକାଶ କରିଛନ୍ତି। ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ, ଘଟଣା ମଙ୍ଗଳବାର ରାତି ୩ଟା ୫୨ ମିନିଟରେ ଘଟିଥିଲା। ଟାଉନ ଥାନାରୁ ମାତ୍ର ଶହେ ମିଟର ଦୂର ସହରର ମୁଖ୍ୟରାସ୍ତାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ହାତରେ ଛୁରି ଧରି ଅନ୍ୟଜଣକୁ ଗୋଡ଼ାଇ ନେଉଛି ଜଣେ ଅଭିଯୁକ୍ତ। ଦୁଇଜଣଙ୍କୁ ଛୁରାମାଡ଼ ହେବାର ବି ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସରୋଜ ପାଣିଗ୍ରାହୀ ଓରଫ ବିଟୁ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ଘଟଣାର ପ୍ରତ୍ୟକ୍ଷଦର୍ଶୀ ବି ରହିଛନ୍ତି।
ପୁଲିସ ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଘଟଣାସ୍ଥଳକୁ ଯାଇ ବି ତଦନ୍ତ କରିଛି। ଗୁରୁତର ଯୁବକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ବି ରେକର୍ଡ କରିଛି। ସିସିଟିଭି ଫୁଟେଜରେ ସମସ୍ତଙ୍କ ଚେହେରା ଜଣାପଡ଼ିଥିଲେ ବି ପୁଲିସ ଏଯାଏଁ କାହାରିକୁ ଧରି ନାହିଁ। ଯାତ୍ରା ପାଇଁ ସହରରେ ବ୍ୟାପକ ପୁଲିସର ମୁତୟନ ଥିବା ସତ୍ତ୍ୱେ ଏଭଳି ଘଟଣା କେମିତି ଘଟିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏସ୍ଡିପିଓ କହିଛନ୍ତି, ତଦନ୍ତ ଜାରି ରହିଛି। ଏକ ଟିମ୍ ଗଠନ କରାଯାଇଛି। ଶୀଘ୍ର ଅପରାଧୀ ଧରାପଡ଼ିବେ ବୋଲି ସେ କହିଛନ୍ତି।