୨୦ରେ ବିଭାଗୀୟ ଓ ୨୧ରେ ଉଚ୍ଚ କ୍ଷମତା କମିଟି ବୈଠକ

Advertisment

ଭୁବନେଶ୍ୱର : ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ସମସ୍ୟାର ସମାଧାନ ବାଟ ବାହାରୁନି। ଗତ ୧୩ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଟି ସହ ଉଭୟ ଶିକ୍ଷକ ସଙ୍ଗଠନ ଆଲୋଚନା କରିବା ପରେ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶିିକ୍ଷକଙ୍କ ଦାବି ପୂରଣ ନେଇ ବ୍ୟାପକ ଆଲୋଚନା କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ଆସନ୍ତା ୨୦ରେ ବିଭାଗୀୟ କମିଟି ବୈଠକ ଏବଂ ୨୧ରେ ପୁଣିଥରେ ଉଚ୍ଚ କ୍ଷମତା କମିଟିର ବୈଠକ ବସି ଶିକ୍ଷକଙ୍କ ଦାବି ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକାଧିକ ଶିକ୍ଷକ ସଙ୍ଗଠନଙ୍କ ସହ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ୱତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ, ଓପେପା ନିର୍ଦେଶକ ମହେନ୍ଦ୍ର ମଲ୍ଲିକ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଶିକ୍ଷକ ସଙ୍ଗଠନଗୁଡ଼ିକ ଦାବି ଉପସ୍ଥାପନ କରିଥିଲେ।

ନୂତନ ପେନସନ ଯୋଜନାଭୁକ୍ତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ପ୍ରାଥମିକ ଶିକ୍ଷକମାନଙ୍କ ପଦବି ମାଟ୍ରିକ୍‌ ଓ ସିଟିରୁ ଉନ୍ନୀତ କରି ଯୁକ୍ତ୨ ଓ ସିଟି କରିବା, ଗ୍ରେଡ୍‌ ପେ’ ୨୮୦୦କୁ ବୃଦ୍ଧି ସହ ୭ମ ବେତନ କମିସନରେ ୨୦୧୬ ଜାନୁଆରି ୧ରୁ ଦରମା ଧାର୍ଯ୍ୟ କରିବା ବିଷୟରେ ଆଲୋଚନା ହୋଇଛି। ଏଥିରେ ସଂଘ ପକ୍ଷରୁ ମହାସଚିବ ବିକ୍ରମ ରଥ, ଦୋଳଗୋବିନ୍ଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ୬ ବର୍ଷ ପୂରଣ କରି ଶିକ୍ଷା ସହାୟକଙ୍କୁ ନିୟମିତ କରିବା ଉପରେ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସହମତି ପ୍ରକାଶ କରିଛନ୍ତି। ଶିକ୍ଷା ସହାୟକଙ୍କ ଦରମା ୨୫ ପ୍ରତିଶତ ବୃଦ୍ଧି, ଶିକ୍ଷା ସହାୟକ ପଦ ଉଚ୍ଛେଦ ସହ କନିଷ୍ଠ ଶିକ୍ଷକ ଭାବେ ନାମକରଣ ଏବଂ ମୃତ୍ୟୁକାଳୀନ ସହାୟତା ପ୍ରଦାନ ଖୁବ୍‌ଶୀଘ୍ର ଦିଆଯିବ। ଆସନ୍ତା ୨୦ ତାରିଖରେ ବିଭାଗୀୟ କମିଟି ଏବଂ ୨୧ ତାରିଖରେ ଉଚ୍ଚ କ୍ଷମତା କମିଟି ବୈଠକ ପୁଣିଥରେ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆଲୋଚନାରେ ସଂଘ ସାଧାରଣ ସମ୍ପାଦକ ଅର୍ଜୁନ ସେଠୀ, ଯୁଧିଷ୍ଠିର ସାହୁ, ଜିତ୍‌ ରଞ୍ଜନ ମହାପାତ୍ର, ସୁନୀଲ ପ୍ରଧାନ, ଜ୍ୟୋତିରଞ୍ଜନ ଦାସ, ସମୀର ଜେନା ପ୍ରମୁଖ ଉପସ୍ଥିତ ଥିଲେ।