ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କର୍ମଚାରୀଙ୍କ ମରୁଡ଼ି ଲାଗି ରହିଛି। ସଂପ୍ରତି ୮ଟି ପଦବି ଖାଲି ପଡ଼ିଥିବା ବେ​ଳେ ବିଭିନ୍ନ ସରକାରୀ ସୁବିଧାରୁ ସାଧାରଣ ଲୋକ ବଞ୍ଚିତ ହେଉଛନ୍ତି। ବ୍ଲକର ବିଏସଏସଓ କିଛିଦିନ ତଳେ ଭିଜିଲାନ୍ସ୍ ଜାଲରେ ଛନ୍ଦି ହେବା ପରେ ଉକ୍ତ ପଦବି ଖାଲି ପଡ଼ିଛି। ସମାଜ ମଙ୍ଗଳ ଅଧିକାରୀଙ୍କୁ କିଛିଦିନ ତଳେ ଅନ୍ୟତ୍ର ବଦଳି ହେଇଛି। ଦୀର୍ଘବର୍ଷ ହେଲା ଯୋଗାଣ ଅଧିକାରୀ ଭାବେ କାହାକୁ ନିଯୁକ୍ତି ମିଳିନି। ଫଳରେ ଖଲ୍ଲିକୋଟ ଯୋଗାଣ ଅଧିକାରୀଙ୍କୁ ବେଗୁନିଆପଡ଼ା ବ୍ଲକର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ମଧ୍ୟ କାର୍ଯ୍ୟ ଚାପରେ ସବୁ ସମୟରେ ଠିକରେ ଦାୟିତ୍ବ ସଂପାଦନ କରିପାରୁନାହାନ୍ତି। ସେହିପରି ଏବେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସ୍ଥାୟୀ ଯୋଗାଣ ଅଧିକାରୀ ନଥିବାରୁ ଏହା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି। କିଛିଦିନ ତଳେ ବ୍ଲକର ମୁଖ୍ୟ କିରାଣି ଅବସର ନେବା ପରେ ଜଣେ କିରାଣିଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ବ୍ଲକର କ୍ୟାସିୟର୍ ସୁରେନ୍ଦ୍ର ଶବରଙ୍କ ଅକାଳ ମୃତ୍ୟୁରେ ଉକ୍ତ ପଦବି ମଧ୍ୟ ଖାଲି ପଡ଼ିଛି।

Advertisment

ଏଭଳି ଭାବେ ବ୍ଲକ୍ ପରିସରରେ ଏକାଧିକ ବିଭାଗରେ ମାନବସମ୍ବଳ ଅଭାବ ଲାଗି ରହିଥିବା ବେଳେ ସ୍ଥାୟୀ ପିଅନ କିମ୍ବା ନାଇଟ୍ଓ୍ବାଚର ନାହାନ୍ତି। ବର୍ତ୍ତମାନ ୩ ଜଣ ଜିଆରଏସ୍‌ଙ୍କୁ ବ୍ଲକ୍ ବାହାରକୁ ବଦଳି ହୋଇଥିବା ବେଳେ ତାଙ୍କ ବଦଳରେ ୨ ଜଣ ଆସିଛନ୍ତି। ଫଳରେ ଗୋଟିଏ ପଦବି ଖାଲି ପଡ଼ିଛି। କର୍ମଚାରୀ ଅଭାବରୁ ଅନେକ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ସରକାର ତୁରନ୍ତ ଏହା ଉପରେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।