ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ: ନାମାଙ୍କନପତ୍ର ଦାଖଲ ଆରମ୍ଭ

ଅପରାଧ ପୃଷ୍ଠଭୂମି ସଂପର୍କରେ ପ୍ରାର୍ଥୀ ଖବରକାଗଜ ଓ ଟିଭିରେ ପ୍ରଚାର କରିବେ

ଭୁବନେଶ୍ବର : ମେ ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ମେ ୧୧ରେ ନାମାଙ୍କନପତ୍ର ଦାଖଲ ଶେଷ ହେବାକୁ ଥିବାବେଳେ ୧୨ରେ ନାମାଙ୍କନପତ୍ର ଯାଞ୍ଚ, ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର, ୩୧ରେ ଭୋଟ୍‌ ଭେଟ୍‌ ଗ୍ରହଣ, ଜୁନ୍‌ ୩ରେ ଭୋଟ୍‌ ଗଣତି ଏବଂ ଜୁନ୍ ୫ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ ଚଳିତ ନିର୍ବାଚନରେ ଅପରାଧ ପୃଷ୍ଠଭୂମି ସଂପର୍କରେ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ସମୟ ସୀମା ମଧ୍ୟରେ ତିନିଥର ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରଚାର କରିବେ। ରାଜନୈତିକ ଦଳମାନେ ମଧ୍ୟ ନିଜ ଦଳ ମଧ୍ୟରେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ବିବରଣୀ ନିର୍ବାଚନ ପ୍ରଚାର ସମୟରେ ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବେ। କୋଭିଡ୍ ଦୃଷ୍ଟିରୁ ପ୍ରତି ବୁଥ୍‌ରେ ସର୍ବାଧିକ ୧୨୫୦ଜଣ ଭୋଟର ମତଦାନ ନିମନ୍ତେ ଆ‌‌ୟୋଗ ସ୍ଥିର କରିଥିବାରୁ ଅତିରିକ୍ତ ୨୨ଟି ବୁଥ୍‌ କରାଯାଇଛି। ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ପୋଷ୍ଟାଲ୍‌ ବାଲଟ୍‌ ମାଧ୍ୟମରେ ଘରେ ଭୋଟ୍‌ ଦେଇପାରିବେ।

ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ପ୍ରସ୍ତୁତି ନେଇ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟରେ ସ୍ଥିତିର ସମୀକ୍ଷା କରିଛନ୍ତି। ଉପନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ଇଭିଏମ୍‌ ଓ ଭିିଭିପ୍ୟାଟ୍ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ତାଲିମ୍, କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଉପ-ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକାରର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ, ସଂଘମିତ୍ରା ଶତପଥୀ, ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଝାରସୁଗୁଡ଼ା ଅତିରିକ୍ତ ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଝାରସୁଗୁଡ଼ା ଅତିରିକ୍ତ ଏସ୍‌ପି, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ବିତ୍ତୀୟ ପରାମର୍ଶଦାତା ସଂଜୟ କୁମାର ଲୁଗୁନ, ଏଏସ୍‌ଇ ଇଦ୍ରିଶ ଅଲ୍ଲି ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର