କବାଟବନ୍ଧ: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟରେ ଥିବା ବ୍ରାହ୍ମଣୀ ସେତୁ ମରାମତି ଅବଧି ପରେ ବି ଶେଷ ହୋଇନି। କାମ ଅଧାପନ୍ତରିଆ ଭାବେ ପଡ଼ିଥିବା ବେଳେ ଶ୍ରମିକମାନେ ପଳାଇ ଯାଇଛନ୍ତି। ଏହି ସେତୁ ଦେଇ ମାସେ ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଥିଲା। ଫଳରେ ହଜାରହଜାର ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସମୟ ମଧ୍ୟରେ ଠିକାସଂସ୍ଥା ଏମ୍ଏସ୍ଆଇଏଲ୍ ପକ୍ଷରୁ ସେତୁ ଉପର ସଂପୂର୍ଣ୍ଣ ପିଚୁ ସମେତ ସମସ୍ତ ଭଙ୍ଗା ପାଚେରିକୁ ମରାମତି, ପାଦଚଲା ରାସ୍ତାର ପ୍ଲେଟ୍, ରଙ୍ଗ ଓ ସେତୁ ଉପର ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜ୍ କାମ ଅନ୍ତର୍ଭୁକ୍ତ ରହିଥିଲା। ହେଲେ ଠିକାସଂସ୍ଥା ପକ୍ଷରୁ କେବଳ ପିଚୁକାମ ସଂପୂର୍ଣ୍ଣ କରାଯାଇଛି। ଅନ୍ୟ ସମସ୍ତ କାମ ହୋଇନାହିଁ।
ଠିକାସଂସ୍ଥାରେ ଥିବା ଶ୍ରମିକମାନେ ଗତ ୨୧ ତାରିଖରୁ ଆଉ କାମ କରିବାକୁ ଆସୁନାହାନ୍ତି। କେବଳ ରଙ୍ଗ ଦେବାପାଇଁ ଅନ୍ୟଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏବେ ଭଙ୍ଗା ପାଚେରିରେ ରଙ୍ଗଦିଆ ଚାଲିଛି। ସେତୁକାମ ପାଇଁ ନଭେମ୍ବର ୨୧ ତାରିଖରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟସୀମା ରହିଥିଲା। ଏହି ସମୟସୀମା ଶେଷ ହୋଇ ଆହୁରି ୮ ଦିନ ଅତିବାହିତ ହୋଇଗଲାଣି। ଏଯାଏ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ। ଠିକାସଂସ୍ଥା ପକ୍ଷରୁ ଶ୍ରମିକମାନଙ୍କୁ ମଜୁରି ଦିଆଯାଉ ନଥିବାରୁ ସେମାନେ କାର୍ଯ୍ୟଛାଡ଼ି ଚାଲିଯାଇଛନ୍ତି ବୋଲି କୁହାଯାଉଛି। ସେତୁର ମାର୍କିଂ ଓ ରିଫ୍ଲେକ୍ଟର ଲାଗିନଥିବାରୁ ରାତିରେ ଯାତାୟାତ କରୁଥିବା ଗାଡ଼ିମୋଟର ତଥା ବାଇକ୍ ଚାଳକଙ୍କ ପାଇଁ ଅସୁବିଧା ହେଉଛି। ସେହିପରି ନିମ୍ନମାନର କାମ ଯୋଗୁଁ କିଛି ସ୍ଥାନରେ ପିଚୁ ଦବି ଗଲାଣି। ଅନ୍ୟପକ୍ଷରେ ଦ୍ବିତୀୟ ବ୍ରାହ୍ମଣୀସେତୁ କାର୍ଯ୍ୟ ଆରମ୍ଭ ହୋଇପାରିଲାନାହିଁ। ବିଭିନ୍ନ ଆଳ ଦେଖାଇ ଠିକାସଂସ୍ଥାର ଅଧିକାରୀମାନେ ସମୟ ଗଡ଼େଇ ଚାଲିଛନ୍ତି। ଏସଂପର୍କରେ ଠିକାସଂସ୍ଥାର ପ୍ରକଳ୍ପ ପରିଚାଳକ ପ୍ରିୟବ୍ରତ ପଣ୍ତାଙ୍କ ସହ ଯୋଗଯୋଗ କରିବାରୁ ଗୁରୁବାର ଠାରୁ ପୁଣି ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି।