ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଗଡ଼ରୋମିତ ପଞ୍ଚାୟତର ପଡ଼ା ଗ୍ରାମ ମଦରଙ୍ଗାଡିଆ। ଏଠାରେ ବସବାସ କରୁଥିବା ୨୯ ପରିବାର ନଦୀ ପାର୍ ହୋଇ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଥାନ୍ତି। ପ୍ରତିଥର ନିର୍ବାଚନ ବେଳେ ଏହି ବିଶେଷ କାରଣ ପାଇଁ ଏହି ପଡା ଗ୍ରାମଟି ଚର୍ଚ୍ଚାରେ ରହି ଆସିଛି। ଏହିସବୁ ପରିବାର ଗଡ଼ରୋମିତ ଗ୍ରାମ ୭ନଂ. ୱାର୍ଡର ଅଧିବାସୀ ହୋଇଥିବା ବେଳେ ନଦୀ ସେମାନଙ୍କୁ ନିଜ ମୂଳ ଗ୍ରାମଠାରୁ ଅଲଗା କରି ରଖିଛି। ଦୀର୍ଘ ଦିନ ଧରି ସେମାନେ ଗ୍ରାମରେ ଏକ ସ୍ୱତନ୍ତ୍ର ଭୋଟ ଗ୍ରହଣ କେନ୍ଦ୍ର ଖୋଲିବାକୁ ଦାବି କରି ଆସୁଛନ୍ତି। ତାହା ଏଯାଏ ସମ୍ଭବ ହୋଇପାରିନାହିଁ।
ସୂଚନା ଅନୁସାରେ, ଏଠାରେ ବସତି ସ୍ଥାପନ ବେଳେ ପଡ଼ାଗ୍ରାମ ଓ ଗଡ଼ରୋମିତ ଗ୍ରାମ ମଧ୍ୟରେ ଏକ ଜୋରି ନଦୀ ପ୍ରବାହିତ ହେଉଥିଲା। କାଳକ୍ରମେ ଜୋରି ନଦୀଟି କାୟା ବିସ୍ତାର କରି ଏକ ପ୍ରଶସ୍ଥ ନଦୀରେ ପରିଣତ ହୋଇଛି। ତେଣୁ ନଦୀର ଏକ ପାର୍ଶ୍ୱରେ ଏହି ୨୯ ପରିବାର ବସବାସ କରୁଥିବା ବେଳେ ସ୍ଥଳ ଭାଗରେ ସିଧାସଳଖ ବରକନ୍ଧା ପଞ୍ଚାୟତ ସହିତ ଯୋଡ଼ି ହୋଇ ରହିଛନ୍ତି। ଉକ୍ତ ୭ ନଂ ୱାର୍ଡର ଭୋଟର ସଂଖ୍ୟା ପ୍ରାୟ ୨୨୩। ନଦୀ ଦ୍ୱାରା ବିଭାଜିତ ମଦରଙ୍ଗାଡିଆ ପଡ଼ା ଗ୍ରାମରେ ୧୨୩ ଜଣ ଭୋଟର ରହିଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ ଏମାନେ ଡ଼ଙ୍ଗାରେ ନଦୀ ଆରପଟେ ଥିବା ଗଡ଼ରୋମିତ ଭୋଟ ଗ୍ରହଣ କେନ୍ଦ୍ରକୁ ମତଦାନ କରିବାକୁ ଯାଇଥାନ୍ତି। କେବଳ ସେତିକି ନୁହେଁ ଯେ କୌଣସି ସରକାରୀ ସହାୟତା ପାଇଁ ମଧ୍ୟ ସେମାନଙ୍କୁ ନଦୀ ପାର ହେବାକୁ ପଡ଼ିଥାଏ। ନଦୀ ପାର ହେବା କାରଣରୁ ବୟସ୍କ ଭୋଟର ନିଜର ମତଦାନ କରିବାକୁ ଯାଇପାରନ୍ତି ନାହିଁ। ଅନ୍ୟପକ୍ଷରେ ଲୋକସଭା ଓ ବିଧାନସଭା ଭୋଟ ସମୟରେ ମଦରଙ୍ଗାଡିଆ ପଡ଼ା ଗ୍ରାମର ଲୋକମାନେ ବରକନ୍ଧା ପଞ୍ଚାୟତ ଗୋଖାଖଟି ଗ୍ରାମରେ ନିଜର ମତଦାନ କରୁଥିବା ବେଳେ ପଞ୍ଚାୟତ ନିର୍ବାଚନ ସମୟରେ କିନ୍ତୁ ନଦୀ ପାର ହେବାକୁ ପଡୁଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/sf65h465sfh465s4hf65.jpg)