ରାଉରକେଲା: ତିନି ଦିନ ହେଲା ଜିଲ୍ଲାରେ ମତଦାନ ଶେଷ ହେଲାଣି। ସମର୍ଥକ ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ବି ଦେଇସାରିଲେଣି। କିନ୍ତୁ ନିର୍ବାଚନ ତାତି କମିବାର ନାଁ ନେଉନି। ପ୍ରାର୍ଥିପତ୍ର ଦାଖଲ ହେବାପରଠାରୁ ସମର୍ଥକଙ୍କ ମଧ୍ୟରେ ଲାଗିରହିଥିବା ଟାହିଟାପରା କ୍ରମଶଃ ବୃଦ୍ଧିପାଇବାରେ ଲାଗିଛି। ବିଶେଷକରି ସାମାଜିକ ଗଣମାଧ୍ୟମରେ ନିର୍ବାଚନୀ ଚର୍ଚ୍ଚା, କାଦୁଅ ଫିଙ୍ଗା ଆଶାତୀତ ବୃଦ୍ଧି ପାଇଛି।
ବିଭିନ୍ନ ସାମାଜିକ ଗଣମାଧ୍ୟମ, ଯଥା-ଫେସ୍ବୁକ, ଏକ୍ସ୍, ଇନ୍ଷ୍ଟାଗ୍ରାମ ଆଦିରେ ସମର୍ଥକଙ୍କ ଉତ୍ପାତ ଦେଖିବାକୁ ମିଳିଛି। ପ୍ରାର୍ଥୀଙ୍କ ସମର୍ଥକ ଫ୍ୟାନ୍କ୍ଲବ ନାଁରେ ଏକାଧିକ ଆକାଉଣ୍ଟ୍ ତିଆରି କରିଛନ୍ତି। ଉକ୍ତ ଆକାଉଣ୍ଟ୍ରେ ବିରୋଧୀ ପ୍ରାର୍ଥୀଙ୍କ ଭୁଲ୍ ତ୍ରୁଟିକୁ ଦର୍ଶାଉଛନ୍ତି। କେବଳ ସମାଲୋଚନା କରୁନାହାନ୍ତି; ବରଂ ସବୁ ସୀମା ଅତିକ୍ରମକରି ବ୍ୟକ୍ତିଗତ ଆକ୍ଷେପ କରିବାକୁ ପଛାଉନାହାନ୍ତି। ଏମିତିକି ପ୍ରାର୍ଥୀଙ୍କ ପୁରୁଣା ଫଟୋ, ଭିଡିଓ, ମନ୍ତବ୍ୟକୁ ନେଇ ତାକୁ ଭାଇରାଲ୍ କରାଯାଉଛି।
ମତଦାନର ଦୁଇ ଦିନ ପୂର୍ବେ ବିର୍ସା ଛକ ନିକଟରେ ଯାଞ୍ଚକୁ ନେଇ ଜଣେ ଯୁବ ନେତା ପୁଲିସ ସହ ଯୁକ୍ତିତର୍କ କରିଥିଲେ। ଉକ୍ତ ଭିଡିଓ ପ୍ରବଳମାତ୍ରାରେ ଭାଇରାଲ ହୋଇଥିଲା। ଏବେ ମତଦାନ ସରିସାରିଥିଲେ ମଧ୍ୟ ବିପକ୍ଷ ଦଳର ସମର୍ଥକ ଉକ୍ତ ଭିଡିଓକୁ ବହୁଳ ପ୍ରଚାରପ୍ରସାର କରିବାରୁ ବିରତ ହୋଇନାହାନ୍ତି। ସେହିଭଳି ମତଦାନ ଦିନ ଗୋପବନ୍ଧୁପାଲିର ଏକ ବୁଥ୍କୁ ନେଇ ଜଣେ ପ୍ରାର୍ଥୀ ପସିବା ଘଟଣାର ଭିଡିଓକୁ ବିରୋଧୀ ପ୍ରମୁଖ ଅସ୍ତ୍ରଭାବେ ବ୍ୟବହାର କରି ଭାଇରାଲ୍ କରିବାରେ ମାତିଯାଇଛନ୍ତି। ୭/୮ ବର୍ଷ ପୂର୍ବେ ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସଂପ୍ରତି ଜାଣିଶୁଣି ଭାଇରାଲ୍ କରାଯାଉଛି।
ସମର୍ଥକଙ୍କ ଟାର୍ଗେଟ୍ରେ କେବଳ ନେତା ନୁହନ୍ତି; ବରଂ ନେତାଙ୍କ ଅନୁଗତଙ୍କୁ ମଧ୍ୟ ସମାଲୋଚନା କରାଯାଉଛି। ସାମାଜିକ ଗଣମାଧ୍ୟମର ଦୁରୂପଯୋଗ କେବଳ ନିର୍ଦ୍ଦିଷ୍ଟ ଗୋଟିଏ ଦଳ କରୁନାହାନ୍ତି, ଉଣାଅଧିକେ ସବୁ ଦଳ ଏହାକୁ ଏକ ଆୟୁଧ କରିସାରିଲେଣି। ମତଦାନ ପୂର୍ବରୁ ଏଭଳି ଆକ୍ଷେପ ସ୍ବାଭାବିକ୍। ତେବେ ମତଦାନପରେ ମଧ୍ୟ ଏହା ଜାରି ରହିଥିବାରୁ ଫଳାଫଳ ଘୋଷଣା ହେବାପରେ ମଧ୍ୟ ଅବ୍ୟାହତ ରହିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/3-14.jpg)