ନାଚୁଣୀ/ବ୍ରହ୍ମଗିରି : ଚିଲିକାର ସୌନ୍ଦର୍ଯ୍ୟ ସୁରକ୍ଷା ସହ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ପାଇଁ ଚିଲିକାକୁ ସମ୍ପୂର୍ଣ୍ଣ ଘେରିମୁକ୍ତ କରିବା ଦାବିରେ ଆଜି ଚିଲିକା ମତ୍ସ୍ୟଜୀବୀ ମହାସଂଘର ପୂର୍ବ ଘୋଷଣା ଅନୁଯାୟୀ ନଳବଣ ଅଭିଯାନ ହୋଇଥିଲା। ମହାସଂଘ ସଭାପତି ରବୀନ୍ଦ୍ର ବେହେରାଙ୍କ ନେତୃତ୍ବରେ ଦୁଇ ହଜାରରୁ ଅଧିକ ମତ୍ସ୍ୟଜୀବୀ ୩୦୦ରୁ ଅଧିକ ଡଙ୍ଗା ଧରି ଚିଲିକା ମଧ୍ୟସ୍ଥ ପକ୍ଷୀ ଅଭୟାରଣ୍ୟ ନଳବଣରେ ପ୍ରବେଶ କରିଥିଲେ। ଗଞ୍ଜାମ, ପୁରୀ ଓ ଖୋର୍ଧା ଜିଲ୍ଲାର ଚିଲିକା ଉପକଣ୍ଠ ମତ୍ସ୍ୟଜୀବୀ ଏବଂ ସମର୍ଥକମାନେ ଏଥିରେ ସାମିଲ ହୋଇଥିଲେ।
ଚିଲିକାରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ, ଚିଲିକାକୁ ସ˚ଯୋଗ କରୁଥିବା ଚ୍ୟାନେଲଗୁଡ଼ିକରୁ ଅବରୋଧ ହଟାଇବା ଏବଂ ବିଧାନସଭାରେ ଚିଲିକା ବିଲ୍ ପାସ୍ କରାଇବା ଦାବିରେ ପୂର୍ବରୁ ଅନେକ ଥର ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଆନ୍ଦୋଳନ ହୋଇଛି। ମାତ୍ର ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଆଜି ହଜାର ହଜାର ମତ୍ସ୍ୟଜୀବୀ ଡଙ୍ଗା ଧରି ଆଇନ ଅମାନ୍ୟ ଆନ୍ଦୋଳନ ସହିତ ଜଳ ସତ୍ୟାଗ୍ରହ କରିବାକୁ ଚିଲିକାର ନଳବଣ ପକ୍ଷୀ ଅଭୟାରଣ୍ୟ ନିକଟକୁ ଆସି ନିଷିଦ୍ଧାଞ୍ଚଳରେ ପ୍ରବେଶ ଉଦ୍ୟମ କରିଥିଲେ। ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ନଳବଣର ୧୫.୫୩ ବର୍ଗକିଲୋମିଟର ନିଷିଦ୍ଧାଞ୍ଚଳକୁ ମହାସ˚ଘ ଅକ୍ତିଆରକୁ ନେବା ସହ ପକ୍ଷୀ ଅଭୟାରଣ୍ୟକୁ ଚିଲିକାରୁ ହଟାଇବାକୁ ପଛାଇବ ନାହିଁ ବୋଲି ନେତୃମଣ୍ଡଳୀ ଚେତାବନୀ ଦେଇଥିଲେ।
ତେବେ ବନବିଭାଗର ବରିଷ୍ଠ ଅଧିକାରୀ ଏବଂ କୃଷ୍ଣପ୍ରସାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ବାଲୁଗାଁ ଏସିଏଫ୍ ମହେଶ୍ବର ପଟ୍ଟନାୟକ ସେମାନଙ୍କ ଠାରୁ ୫ଦଫା ଦାବିପତ୍ର ଗ୍ରହଣ କରିବା ପରେ ଜଳସତ୍ୟାଗ୍ରହ ଓ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/Nachuni-1.jpg)