ବାରିପଦା : ରାଜ୍ୟରେ ସମସ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ରର ଯାଞ୍ଚ କରାଯିବ। ଜାଲ୍‌ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କୁ ଶିକ୍ଷା ବିଭାଗରୁ କଢ଼ାଯିବ। ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। ମାତ୍ର ମୟୂରଭଞ୍ଜ ଜିଲ୍ଲାରେ କିନ୍ତୁ ଶିକ୍ଷା ବିଭାଗରେ ଚାଲିଛି ଖୁଲମ୍‌ଖୋଲା ବେଆଇନ କାର୍ଯ୍ୟ। ତାହା ପୁଣି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ। ସମ୍ବିଧାନର ଧାରା ୩୧୧(୨) ଓ ଓଡ଼ିଶା ସିସିଏ ରୁଲ୍‌ ୧୯୬୨ ଧାରା ୧୮(୧) ଅନୁଯାୟୀ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ସରକାରୀ କର୍ମଚାରୀଙ୍କୁ ସଂଗେ ସଂଗେ କାର୍ଯ୍ୟରୁ ବରଖାସ୍ତ କରାଯିବାର ନିୟମ ରହିଛି। ଏହି ନିୟମ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ବିଦ୍ୟାଳୟ, ବାରିପଦାର କନିଷ୍ଠ କିରାଣୀ ଅଜୟ କୁମାର ବିଶ୍ବାଳ, ତିରିଂ ବ୍ଲକ୍‌ର ଶିକ୍ଷକ ବରିଶା ହେମ୍ବ୍ରମ୍‌, କପ୍ତିପଦାର ଶିକ୍ଷକ ଭାସ୍କର ବେଜଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାରୁ ପୂର୍ବରୁ ମୟୂରଭଞ୍ଜ ଡିଇଓ କାର୍ଯ୍ୟରୁ ବରଖାସ୍ତ କରିଛନ୍ତି। ମାତ୍ର ବାରିପଦା ବ୍ଲକ୍‌ର ବର୍ତ୍ତମାନର ସହକାରୀ ବ୍ଲକ୍‌ ଶିକ୍ଷାଧିକାରୀ ହରିହର ପରିଡ଼ାଙ୍କ ବେଳକୁ କିନ୍ତୁ ନିୟମକାନୁନ୍‌କୁ ବଦଳି ଯାଇଛି। ଲାଞ୍ଚ ନେଇଥିବା ଅଭିଯୋଗରେ ଏବିଇଓ ଶ୍ରୀ ପରିଡ଼ାଙ୍କୁ ଗତ ଫେବ୍ରୁଆରି ୨୬ରେ ବାରିପଦା ଭିଜିଲାନ୍‌ସ କୋର୍ଟ ୧ ବର୍ଷ କାରାଦଣ୍ଡ ସହିତ ୬ହଜାର ଟଙ୍କାରେ ଦଣ୍ଡିତ କରିଥିଲେ। ତେଣୁ ନିୟମ ଅନୁସାରେ ଶ୍ରୀ ପରିଡ଼ାଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ କିମ୍ବା ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ କାର୍ଯ୍ୟରୁ ବରଖାସ୍ତ କରିବା କଥା। ମାତ୍ର ଅଦ୍ୟାବଧି ଶ୍ରୀ ପରିଡ଼ା ବାରିପଦା ବ୍ଲକ୍‌ ସହକାରୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ପ୍ରଥମ ଟ୍ରାଏଲ୍‌ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କୁ ଉପରୋକ୍ତ ନିୟମ ଅନୁଯାୟୀ ତତ୍‌କ୍ଷଣାତ ଚାକିରିରୁ ବରଖାସ୍ତ କରିବା ପାଇଁ ଡିଜି ‌ପୁଲିସ୍‌ ଓ ଡିଜି ଜିଏ ଡିପାର୍ଟମେଣ୍ଟ, ଓଡ଼ିଶା ତାଙ୍କ ଡିଏ ନମ୍ବର ୨୮୦୧/ଭିସିଆର୍(ଏମ୍‌) (୪-୮-୨୦୧୬)ରେ ଗଣଶିକ୍ଷା ସଚିବଙ୍କୁ କରିଛନ୍ତି। ମାତ୍ର ବାରିପଦା ଏବିଇଓଙ୍କ ବେଳକୁ ଖୋଦ୍‌ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଟାଳଟୁଳ ନିୟମ ଅବଲମ୍ବନ କରିଛନ୍ତି। ସୂଚନା ଅନୁସାରେ ଶ୍ରୀ ପରିଡ଼ା ଆସନ୍ତା ଅଗଷ୍ଟ ମାସରେ ଚାକିରିରୁ ଅବସର ନେବେ। ତେଣୁ ନିର୍ଦ୍ଦେଶକଙ୍କ ଦପ୍ତରରେ କାର୍ଯ୍ୟରତ ଜନୈକା ଉପନିର୍ଦ୍ଦେଶିକା ବାରିପଦା ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ ଶ୍ରୀ ପରିଡ଼ାଙ୍କୁ ତାଙ୍କର ଅବସର ପର୍ଯ୍ୟନ୍ତ ବରଖାସ୍ତ ନ କରିବାକୁ ଭରପୂର୍ ପ୍ରୟାସ କରୁଛନ୍ତି। ଚାକିରିରୁ ବରଖାସ୍ତ ନ ହୋଇ ଅବସର ନେଲେ, ଶ୍ରୀ ପରିଡ଼ା ଅବସରକାଳୀନ ସମସ୍ତ ପ୍ରାପ୍ୟ ସହିତ ସବୁ ସୁବିଧା ସୁଯୋଗ ପାଇପାରିବେ। ତେଣୁ ଶ୍ରୀ ପରିଡ଼ାଙ୍କୁ ଏପରି ସୁଯୋଗ ଜାଣିଶୁଣି ଦିଆଯାଇଥିବା ଅଭିଯୋଗ ହୋଇଛି।

ମୟୂରଭଞ୍ଜରେ ପୂର୍ବରୁ ମଧ୍ୟ ଏହିପରି ଏକ ସମାନ ବେଆଇନ୍‌ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯାଇଛି। ଜାଲ୍‌ ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିଥିବା ଭଗବାନ ମହାପାତ୍ରଙ୍କୁ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶନାମା ୫୫୨୫, ୧୮-୩-୨୦୧୬ରେ ଶ୍ରୀ ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏ ନେଇ ସେ ନିର୍ଦ୍ଦେଶନାମା ୫୮୦୫,୨୯-୩-୨୦୧୬ରେ ବିଭାଗୀୟ ପ୍ରସିଡିଂ କରିଥିଲେ। ଏଭଳି ସଙ୍ଗିନ ଅଭିଯୋଗର ପ୍ରମାଣ ଥାଇ ମଧ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳ, ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଉନ୍ନୟନ କମିସନରଙ୍କ ଗାଇଡଲାଇନ୍‌ ଡିଓ ନଂ-୨୪୦୪୨/ଜିଏ,୧୩-୯-୧୯୯୧କୁ ଉପେକ୍ଷା କରି ମନମୁଖୀ ଭାବେ ଶ୍ରୀ ମହାପାତ୍ରଙ୍କ ବିରୋଧରେ ତଦନ୍ତ ପାଇଁ ୨୦୧୭ରେ ଡିଇଓଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତତ୍‌କାଳୀନ ମୟୂରଭଞ୍ଜ ଡିଇଓ ଫୁଲମଣୀ ମୁର୍ମୁ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଗୋଟିଏ ଦିନରେ ତଦନ୍ତ ସରିବାକୁ ଥିବା କାର୍ଯ୍ୟକୁ ଜାଣିଶୁଣି ୭ ମାସ ବିଳମ୍ବ କରି ରିପୋର୍ଟ ପ୍ରଦାନ କରିଥିଲେ। ତେଣୁ ଶ୍ରୀ ମହାପାତ୍ରଙ୍କୁ ତାଙ୍କର ଅବସର ସମୟ ୫ ମେ, ୨୦୧୮ ପର୍ଯ୍ୟନ୍ତ ଜାଣିଶୁଣି ବରଖାସ୍ତ କରାଗଲା ନାହିଁ। ଫଳରେ ସେ ୩୧ ମେ, ୨୦୧୮ରେ ଚାକିରିରୁ ଅବସର ନେଇଥିଲେ। ମୁଖ୍ୟ ସଚିବଙ୍କ ଗାଇଡଲାଇନ ଅନୁଯାୟୀ ନିଲମ୍ବନର ୬ ମାସ ମଧ୍ୟରେ ପ୍ରସିଡିଂ ଫାଇନାଲ୍‌ ହେବାର କଡ଼ା ନିର୍ଦ୍ଦେଶ ଥିବା ସତ୍ତ୍ବେ, ଶ୍ରୀ ମହାପାତ୍ରଙ୍କ କ୍ଷେତ୍ରରେ ଆଇନକୁ ମୋଡ଼ି ଦିଆଯାଇଥିଲା। ନିୟମକୁ ଉଂଲଘନ କରି ନିର୍ଦ୍ଦେଶାଳୟ ତାଙ୍କୁ ୨ବର୍ଷରୁ ଊର୍ଧ୍ବ ସମୟ ପର୍ଯ୍ୟାନ୍ତ ବିନା କାର୍ଯ୍ୟରେ ପ୍ରାୟ ୭ଲକ୍ଷରୁ ଊର୍ଧ୍ବ ଟଙ୍କା ସରକାରୀ ତହବିଲ୍‌ରୁ ଯୋଗଇ ଦେଇଥିଲେ।

ଉପରୋକ୍ତ ଦୁଇ ମାମଲାକୁ ବିଚାରକୁ ନେଲେ ମୟୂରଭଞ୍ଜ ଜିଲ୍ଲାରେ ଖୋଦ୍ ପ୍ରାଥମିକ ଶିକ୍ଷା ନି‌ର୍ଦ୍ଦେଶାଳୟ ମାର୍ଫତ୍‌ରେ ବେଆଇନ୍‌ କାରବାର ଚାଲିଥିବା ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁସାରେ ବାରିପଦା ଏବିଇଓ ଶ୍ରୀ ପରିଡ଼ାଙ୍କ ସମ୍ପର୍କରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଏକ ରିପୋର୍ଟ ତଲବ କରିଥିଲେ। ଏହା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ।