ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିବା ବହୁଚର୍ଚ୍ଚିତ ରଙ୍ଗଶାଳାକୁ କାଗଜପତ୍ରରେ ଉଚ୍ଛେଦ ଦର୍ଶାଇ ଚୁପ୍ ରହିଥିଲେ। ଏହି ଜାଲିଆତି ପ୍ରଘଟ ହେବା ପରେ ତତ୍କାଳୀନ ଆରୁହା ଆରଆଇ କ୍ଷୀରାବ୍ଦି ତନୟା ପଣ୍ଡାଙ୍କୁ ଆଜି ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତି ନିଲମ୍ବିତ କରିଛନ୍ତି। ଏହି ଘଟଣାରେ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ପ୍ରକାଶଥାଉକି, ଗତ ମାସ ୧୬ତାରିଖରେ ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଚର୍ଚ୍ଚିତ ରଙ୍ଗଶାଳାରେ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା। ଏହି ରଙ୍ଗଶାଳା ଅନାବାଦି ଓ ଜଙ୍ଗଲ ଜମିରେ ଥିବାେବଳେ ସରକାରୀ କାଗଜପତ୍ରରେ ୨୦୧୮ ମାର୍ଚ୍ଚ ୨୭ତାରିଖ ଠାରୁ ଉଚ୍ଛେଦ ହୋଇଯାଇଛି ବୋଲି ଦର୍ଶାଯାଇଥିଲା। ବାଲିଗରି ମୌଜାର ଖାତା ନମ୍ବର୧୦୯ ଓ ୧୧୦ର ପ୍ଲଟ୍ ନମ୍ବର ୨୯୦ ଓ ୨୯୧ ଯଥାକ୍ରମେ ଅନାବାଦି ଓ ଜଙ୍ଗଲ ଜମିରେ ରୂପେଶଙ୍କର ରଙ୍ଗଶାଳା ଚାଲିଥିଲା। ଅନାବାଦି ୧୩ଡିସିମିଲ ଓ ଜଙ୍ଗଲ ୪ଡିସିମିଲି ଏପରି ମୋଟ ୧୭ ଡିସିମିଲି ଜମିକୁ ରଙ୍ଗଶାଳା ପାଇଁ ଜବରଦଖଲ କରାଯାଇଥିଲା। ସରକାରୀ ଜମିରେ ଗଢି ଉଠିଥିବା ରଙ୍ଗଶାଳାକୁ ଉଚ୍ଛେଦ କରାଗଲା ବୋଲି ତତ୍କାଳୀନ ଆରଆଇ କ୍ଷୀରାବ୍ଦି ତନୟା ପଣ୍ଡା ଦର୍ଶାଇଥିଲେ। ତାହାକୁ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ଅନୁମୋଦନ କରି ଫାଇଲ୍ ବନ୍ଦ କରିଥିଲେ। ପ୍ରଭାବଶାଳୀ ରୂପେଶଙ୍କ ରଙ୍ଗଶାଳା ଭଙ୍ଗା ହେବା ଦୂର କଥା ସେଥିରେ ହାତ ମାରିବାକୁ କେହି ସାହସ ଜୁଟାଇ ପାରିନଥିଲେ। ସରକାରୀ କାଗଜପତ୍ରରେ ଉଚ୍ଛେଦ ଦର୍ଶାଯାଇଥିବା ରଙ୍ଗଶାଳାକୁ ଦୁଇ ମହଲା କରିବା ସହିତ ବିଲଡ଼ିଂର ପଛକୁ ରୂପେଶ ସଂପ୍ରସାରଣ କରିଥିଲେ। ଏଭଳିକି ସ୍ମିତାରାଣୀଙ୍କ ମୃତ୍ୟୁ ଦିନଏକାଧିକ ମିସ୍ତ୍ରୀ ରଙ୍ଗଶାଳାକୁ ଅତ୍ୟାଧୁନିକ ସ୍ପର୍ଶ ଦେଉଥିଲେ। ଏକାଧିକ ବେଡରୁମ ସାଙ୍ଗକୁ ଅଫିସ ରୁମ୍, ଅତିଥିଶାଳା, ସମ୍ମିଳନୀ କକ୍ଷ ଇତ୍ୟାଦି ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠମାନ ଏଥିରେ ରହିଛି। ବେଆଇନ ଭାବେ ଗଢ଼ି ଉଠିଥିବା ଏହି ରଙ୍ଗଶାଳାକୁ ଶାସକ, ପ୍ରଶାସକ, ନେତା ଅଭିନେତାମାନଙ୍କର ଗହଳି ସାଙ୍ଗକୁ ଭୋଜିଭାତ ନିୟମିତ ଚାଲେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ସ୍ମିତାରାଣୀ ମଧ୍ୟ ରଙ୍ଗଶାଳାରେ ହୋଇଥିବା ଭୋଜି ଖାଇବାକୁ ଆସିଥିବା ବେଳେ ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗ୍ରାମାଞ୍ଚଳରେ ଏହି ରଙ୍ଗଶାଳା ଥିବା ସତ୍ତ୍ବେ ବାହାର ଲୋକ ଓ ଭିତର କାରବାର ଉପରେ ନଜର ରଖିବା ପାଇଁ ସିସି କ୍ୟାମେରା ଲାଗିଥିଲା।
ଏହି ଘଟଣା ସମ୍ପର୍କରେ ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲଙ୍କ ମତାମତ ନେବାରେ ସେ କହିଛନ୍ତି ତତ୍କାଳୀନ ତହସିଲଦାରଙ୍କ କଥାରେ ସେ ସବୁ ଫାଇଲରେ ଦସ୍ତଖତ କରୁଥିଲେ। ଆରଆଇ ରିପୋର୍ଟକୁ ଭିତ୍ତି କରି ଦସ୍ତଖତ କରିଥିଲେ। ସେ ସବୁ କ୍ଷେତ୍ରକୁ ଯାଇ ତନଖି କରିବା ସମ୍ଭବ ନଥିଲା ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Jajpur-Guest-House.jpg)