କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଗସ୍ତରେ ଆସି ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜିଉ ମନ୍ଦିରରେ ତିନି ଠାକୁରଙ୍କୁ ସ୍ନାନବେଦିରେ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ସେବାୟତ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କୁ ମନ୍ଦିରର ଉନ୍ନତିକରଣ ପାଇଁ ଯେତେସବୁ ପ୍ରକଳ୍ପ ପ୍ରସ୍ତାବ ଯିବ ସବୁ ଗୁଡିକର ଅନୁମୋଦନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ବିଜ୍ଞପ୍ତି ଜରିଆରେ ଶ୍ରୀ ବଳଦେବଜିଉ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୨ କୋଟି ଟଙ୍କା ଅନୁଦାନ ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ଏହି ଅର୍ଥ ବ୍ୟୟରେ ତିନି ଠାକୁରଙ୍କ ଝୁଲଣ ମଣ୍ତପର ପୁନରୁଦ୍ଧାର, ସାଆନ୍ତସାହି ଠାରେ ଶ୍ରୀବଳଦେବଜିଉ କଲ୍ୟାଣ ମଣ୍ତପ ନିର୍ମାଣ, ମନ୍ଦିରର ଉତ୍ତର ପାର୍ଶ୍ବରେ ପ୍ରାଚୀର ନିର୍ମାଣ, ବିବାହ ମଣ୍ତପ ନିକଟରେ ଶୌଚାଳୟ ନିର୍ମାଣ, ଗଭୀର ନଳକୂପ ସହ ଓଭରହେଡ୍ ଟ୍ୟାଙ୍କ୍ ଜରିଆରେ ୨୪ ଘଣ୍ଟିଆ ଜଳଯୋଗାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଆଗକୁ ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରିପ୍ରେକ୍ଷୀରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଅପରାହ୍ନ ପ୍ରାୟ ୫ଟାରେ ପହଁଚି ସିଧା ମନ୍ଦିରକୁ ଯାଇଥିଲେ । ସେଠାରେ ଦର୍ଶନ ସାରିବା ପରେ ସେବାୟତଙ୍କ ଉଦ୍ଦେଶ୍ୟରେ ୧ ହଜାର ଟଙ୍କା ଦକ୍ଷିଣା ଦେଇଥିଲେ । ମାତ୍ର ୧୦ ମିନିଟ୍ ମଧ୍ୟରେ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଅଭିମୁଖେ ଫେରି ଯାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁ, ଜଳସମ୍ପଦ ବିଭାଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଂକର ମିଶ୍ର, ଶକ୍ତିମନ୍ତ୍ରୀ ରଘୁନନ୍ଦନ ଦାସ, ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାସ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ପାଟକୁରା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ୍, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରାର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ବିଧାୟକ ପ୍ରଣବ ବଳବନ୍ତ ଦାସ, ପ୍ରଣବ ପ୍ରକାଶ ଦାସ, ଅଶୋକ ବଳ, ରାଜେନ୍ଦ୍ର ଦାସ, ପ୍ରଶାନ୍ତ ଜଗଦ୍ଦେବ, ଲତିକା ପ୍ରଧାନ, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ସତ୍ୟବାଦୀରୁ ଉମା ସାମନ୍ତରାୟଙ୍କ ସମେତ ବହୁ ଦଳୀୟ ନେତା ମୁଖ୍ୟମନ୍ତ୍ରୀଙ୍କୁ ହେଲିପ୍ୟାଡ୍ ନିକଟରେ ସ୍ବାଗତ କରିବାକୁ ଉପସ୍ଥିତ ଥିଲେ ।