ବାଲିଅନ୍ତା: ସ୍ଥାନୀୟ ବେଣୁପୁର ପଞ୍ଚାୟତ ପେଟ୍ରୋଲ ପମ୍ପ ନିକଟରେ ବିଲ୍ଡିଂ କାମ କରୁଥିବା ଦୁଇ ଶ୍ରମିକ ପରିବାର ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ଭୀଷଣ ଗଣ୍ଡଗୋଳ ହୋଇଛି। ଉଭୟ ପରିବାର ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଦାସ ହେମ୍ବ୍ରମ ନାମକ ଜଣେ ବ୍ୟକ୍ତି ତାଙ୍କ ସଳା ଟିପୁଙ୍କ ପେଟରେ ଛୁରା ଭୁସି ଦେଇଥିଲେ। ଘଟଣାସ୍ଥଳରେ ଟିପୁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।
ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ଏସଂପର୍କରେ ବାଲିଅନ୍ତା ଥାନାକୁ ଫୋନ କରି ଜଣାଇଥିଲେ। ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ୧୦୮ ଆମ୍ବୁଲାନ୍ସ ଡକାଇ ଟିପୁକୁ ହସ୍ପିଟାଲ ପଠାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଆକ୍ରମଣକାରୀ ଭିଣୋଇକୁ ଗିରଫ କରିଛି।
ସୂଚନା ଅନୁସାରେ ଏଠାରେ ପ୍ଲଟିଂ ସ୍କିମରେ ଜଣେ ବ୍ୟକ୍ତିଙ୍କ ବିଲ୍ଠିଂ ନିର୍ମାଣ କାର୍ଯ୍ୟ ଚାଲିଛି। ଉକ୍ତ ବ୍ୟକ୍ତି ଜଣକ ଘର କାମ କରିବା ପାଇଁ ଶ୍ରମିକ ଓ ରାଜମିସ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି। ଆଜି ଟଙ୍କା ପଇସା ଦେବା ନେବାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏଥିରେ ରାଗିଯାଇ ଭିଣୋଇ ଛୁରାରେ ସଳାକୁ ଆକ୍ରମଣ କରିଥିଲା।