ବନ୍ତଳା, (ପ୍ରଭାତ ବେହେରା): ଦିନ ଥିଲା ସାତକୋଶିଆ କମଳାର ଚାହିଦା ସାରା ଜିଲ୍ଲାରେ ରହିଥିଲା। ଶୀତଦିନ ଆସିଲେ ଲୋକେ ବଜାରରେ ସାତକୋଶିଆ କମଳାକୁ ଖୋଜୁଥିଲେ। ଏହାର ସ୍ବାଦ ଓ ରଙ୍ଗ ଅନ୍ୟ ରାଜ୍ୟ କମଳା ତୁଳନାରେ କିଛି କମ୍‌ ନଥିଲା। ଏବେ କିନ୍ତୁ ସାତକୋଶିଆ କମଳା ଇତିହାସ। ଜଳବାୟୁ କଡ଼ ଲେଉଟେଇଲା। ଉଦ୍ୟାନ ବିଭାଗରୁ ମଧ୍ୟ କିଛି ପ୍ରୋତ୍ସାହନ ମିଳିଲା ନାହିଁ। ତେଣୁ ସାତକେଶିଆରେ କମଳା ଚାଷ ବନ୍ଦ ହୋଇଗଲା।

Advertisment

ପାଖାପାଖି ୫୦ ବର୍ଷ ତଳେ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଜଳବାୟୁ କମଳା ଚାଷ ପାଇଁ ବେଶ୍‌ ଅନୁକୂଳ ଥିଲା। ମହାନଦୀର ସାତକୋଶିଆ ଗଣ୍ଡ ଓ ଏହାର ଉଭୟ ପାର୍ଶ୍ବରେ ଥିବା ଘଞ୍ଚ ଜଙ୍ଗଲ ଯୋଗୁଁ ଜଳବାୟୁ ଥଣ୍ଡା ଥିଲା, ଯାହା କମଳା ଚାଷ ପାଇଁ ଥିଲା ଖୁବ୍‌ ଉପଯୋଗୀ। ଅଭୟାରଣ୍ୟ ଅନ୍ତର୍ଗତ ବିଭିନ୍ନ ଗାଁର ଲୋକେ ବ୍ୟକ୍ତିଗତ ଉଦ୍ୟମରେ କମଳା ଚାଷ ଆରମ୍ଭ କରିଥିଲେ। ଅନୁଗୁଳ ବ୍ଲକ୍‌ ସାତକୋଶିଆ ଅଞ୍ଚଳ ଜଗନ୍ନାଥପୁର ପଞ୍ଚାୟତର କୁଲାଙ୍ଗୀ, ଟାକରସିଂହା, ଅନ୍ତୁଳିଆ ପଞ୍ଚାୟତର ଦଣ୍ଡସିଂହା, ଟାଇଁସି ପଞ୍ଚାୟତର ନୂଆପଡ଼ା, ବଲଙ୍ଗ ପଞ୍ଚାୟତର ହିଡ଼ିସିଙ୍ଗ ପ୍ରଭୃତି ଗାଁରେ ବ୍ୟାପକ ଭାବେ କମଳା ଚାଷ କରାଯାଉଥିଲା। ଏହି ଗାଁମାନଙ୍କର ପ୍ରାୟ ୪୦ ଜଣ ଚାଷୀ ନିଜ ବାଡ଼ିରେ କମଳା ଚାଷ କରୁଥିଲେ। ଆନୁମାନିକ ୧୯୭୦ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଅଞ୍ଚଳରେ କମଳା ଚାଷ ହେଉଥିଲା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏହାପରେ ଜଳବାୟୁ ବଦଳିବାରୁ କମଳା ଚାଷ ବନ୍ଦ ହୋଇଗଲା।

publive-image

କୁଲାଙ୍ଗୀ ଗାଁର କମଳା ଚାଷୀ ବିଜୟ କୁମାର ପ୍ରଧାନ କହିଛନ୍ତି ‘ଏବେ ବି ତାଙ୍କ ବାଡ଼ିରେ ୧୦୦ରୁ ଅଧିକ କମଳା ଗଛ ଅଛି। ସେଥିରେ ଫୁଲ ଫୁଟୁଛି। କିନ୍ତୁ କଷି ‌ଗଡ଼ିବା ସମୟ ବେଳକୁ ଅନେକ ଫୁଲ ଝଡ଼ିପଡ଼ୁଛି। ଯେତିକି ବି ଫୁଲ ରହୁଛି, ସେଥିରେ ଫଳ ଆସୁଛି। ଏହି ଫଳ ପାକଳ ହେବା ପୂର୍ବରୁ ଝଡ଼ିପଡ଼ୁଛି। ଅଞ୍ଚଳର ଜଳବାୟୁ ପୂର୍ବଭଳି ଆଉ ଥଣ୍ଡା ନାହିଁ। ଯେତେ ‌‌ଔଷଧ ସିଞ୍ଚନ କଲେ ମଧ୍ୟ ଗଛରେ ଫଳ ରହୁନାହିଁ। ତେଣୁ ଚାଷୀମାନେ କମଳା ଚାଷରୁ ମୁହଁ ଫେରାଇ ନେଉଛନ୍ତି। ସେମାନେ ପ୍ରତିବର୍ଷ ଅନୁଗୁଳ ବଜାରରେ କମଳା ବିକ୍ରି କରି ବେଶ୍‌ ଦିପଇସା ଆୟ କରୁଥିଲେ। ତାହା ବନ୍ଦ ହୋଇଗଲା। ଚାଷୀମାନଙ୍କୁ ଯଦି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳନ୍ତା ଏବଂ ଅତ୍ୟାଧୁନିକ ପ୍ରଣାଳୀରେ କମଳା ଚାଷ ପାଇଁ ବିଭାଗ ପକ୍ଷରୁ ତାଲିମ ଦିଆଯାନ୍ତା, ତେବେ ହୁଏତ ସାତକୋଶିଆ କମଳା ଚାଷ ଫେରି ଆସନ୍ତା ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି। ଏ ସଂପର୍କରେ ବିଭାଗୀୟ ଅଧିକାରୀ ଅମ୍ରିତା ଜୟଶ୍ୱାଲଙ୍କୁ ପଚାରିବାରୁ ସେ କହିଛନ୍ତି ‘ପୂର୍ବରୁ ଯେଉଁ ପ୍ରାକୃତିକ ପରିବେଶ ଥିଲା, ଏବେ ତାହା ନାହିଁ। ତେଣୁ ଯେତେ ବୈଜ୍ଞାନିକ ପ୍ରଣାଳୀ ବ୍ୟବହାର କଲେ ମଧ୍ୟ ଏହି ପରିବେଶରେ କମଳା ଉପୁଜାଇ ହେଉ ନାହିଁ। ପୂର୍ବରୁ ଅନୁଗୁଳ ସହରରେ ଗୋଟିଏ କମଳା ଫାର୍ମ ଥିଲା। ଏବେ ସେଠାରେ ଗୋଟିଏ ବି କମଳା ଗଛ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।