ଭୁବନେଶ୍ବର : ରାଜଧାନୀର ସରକାରୀ ସ୍କୁଲରେ ପଶିଛି କରୋନା। କ୍ୟାପିଟାଲ ହାଇସ୍କୁଲରେ ଦୁଇ ଜଣ ନବମ ଶ୍ରେଣୀ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବୁଧବାର ବିଏମସି ପକ୍ଷରୁ କରାଯାଇଥିବା କରୋନା ଟେଷ୍ଟିଂ କ୍ୟାମ୍ପରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଆକ୍ରାନ୍ତ ହେବା ପରେ ଦୁଇ ଜଣ ଛାତ୍ର ହୋମ୍ ଆଇସୋଲେସନରେ ରହିଛନ୍ତି। ସ୍କୁଲ୍କୁ ବିଶୋଧନ କରାଯିବା ସହ ସାନିଟାଇଜ୍ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ବିଏମ୍ସିକୁ ଅନୁରୋଧ କରିଛନ୍ତି। ଦୁଇ ଜଣ ସଂକ୍ରମିତ ହେବା ପରେ ଗତକାଲି ୩୭୨ ପିଲାଙ୍କ ଟେଷ୍ଟ କରାଯାଇଛି। ମାତ୍ର ତାହାର ରିପୋର୍ଟ ଆସିନି।
ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ କହିଛନ୍ତି ଯେ ଆର୍ଟି-ପିସିଆର ଟେଷ୍ଟରେ ୨ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ତାହାକୁ ନଜରରେ ରଖି କରୋନା କଟକଣା ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଜାରି ରହିଛି। ମାସ୍କ ପରିଧାନ, ହାତକୁ ବାରମ୍ବାର ଧୋଇବା ପାଇଁ ପିଲାଙ୍କୁ ପରାମର୍ଶ ଦିଆଯାଉଛି। ପ୍ରବେଶ ସମୟରେ ସେମାନଙ୍କ ଶରୀରର ତାପମାତ୍ରା ଯାଞ୍ଚ ହେଉଛି। କ୍ୟାମ୍ପସ୍ ଭିତରେ ଓ କ୍ଲାସରେ ସାମାଜିକ ଦୂରତାକୁ କଡ଼ାକଡ଼ା ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ବି କରୋନା ପଶିଛି। ଗତ ଦୁଇରୁ ଅଢ଼େଇ ମାସ ମଧ୍ୟରେ ୨୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆକ୍ରାନ୍ତ ହୋଇଛନ୍ତି। ମାତ୍ର ଗତ କିଛି ଦିନ ମଧ୍ୟରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆକ୍ରାନ୍ତ ହେବା ଚିନ୍ତା ବଢ଼ାଇଛି। ତେବେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଚାଲିଥିବାରୁ ସ୍କୁଲ ବନ୍ଦ କରିବା ଏବେ ଅସମ୍ଭବ ହୋଇପଡ଼ିଛି। ତେଣୁ କରୋନା କଟକଣା ମଧ୍ୟରେ ବିଦ୍ୟାଳୟରେ ପରୀକ୍ଷା ଚାଲୁ ରଖିବାକୁ କୁହାଯାଇଛି। ବାକି ଶ୍ରେଣୀଗୁଡ଼ିକରେ କ୍ଲାସରୁମ୍ ପାଠପଢ଼ା ବନ୍ଦ ରହିଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଫ୍ଲାଇନ୍ ବଦଳରେ ଅନ୍ଲାଇନ୍ କ୍ଲାସ କରିବାକୁ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ଆକ୍ରାନ୍ତ ହେବା ପରେ ସାମାଜିକ ଗଣମାଧ୍ୟମରେ ବିରୋଧର ସ୍ବର ଉଠିଛି। ତୁରନ୍ତ ସ୍କୁଲ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ସଙ୍ଗଠନ, ଛାତ୍ରଛାତ୍ରୀ, ଅଭିଭାବକ ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଏମ୍ସି କର୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟ-୧ର ଅଧ୍ୟକ୍ଷ ଭୂପିନ୍ଦର ସିଂ କହିଛନ୍ତି ଯେ ସ୍କୁଲ ଖୋଲିବା ଦିନରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ଦେଖାଦେଲେ ସେମାନଙ୍କୁ ଘରକୁ ପଠାଇ ଦେଉ। ପଜିଟିଭ୍ ସଂକ୍ରମଣ ଆସିଲେ ସେମାନେ ଘରେ ରୁହନ୍ତି। ଗତ ଦୁଇରୁ ଅଢ଼େଇ ମାସରେ ୨୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଗତ ଦୁଇ ସପ୍ତାହ ମଧ୍ୟରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ସଂକ୍ରମିତ ଅଛନ୍ତି। ବାକି କେତେଜଣଙ୍କଠାରେ ଲକ୍ଷଣ ରହିଛି, ସେମାନଙ୍କ ପରୀକ୍ଷା କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ। ତେଣୁ ଆଜି ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ୫୦ ଜଣ ଲେଖାଏ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କରୋନା ଟେଷ୍ଟ କରାଯାଇଛି। ଆରଟି-ପିସିଆର ଟେଷ୍ଟ ହୋଇଥିବାରୁ ଆଜି ରିପୋର୍ଟ ଆସିନି। ଅଭିଭାବକଙ୍କୁ ଏତିକି ଅନୁରୋଧ କରୁଛୁ ଯେ ସେମାନେ ପିଲାଙ୍କ ସଠିକ୍ ଯତ୍ନ ନିଅନ୍ତୁ। ସାମାନ୍ୟ ଲକ୍ଷଣ ବି ଦେଖାଦେଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ ଦେଉଛୁ।