ଭୁବନେଶ୍ବର: ‘‘ହାଲୋ! ଆପଣ ଆକାଶ କହୁଛନ୍ତି ତ? ଟ୍ରାଇ (ଟେଲିକମ୍ ରେଗୁଲଟାରି ଅଥରିଟି ଅଫ ଇଣ୍ଡିଆ) ପକ୍ଷରୁ ଆପଣଙ୍କ ମୋବାଇଲ୍ ନମ୍ବରକୁ ଆଗାମୀ ୨୪ ଘଣ୍ଟା ଭିତରେ ସସ୍ପେଣ୍ଡ କରିଦିଆଯିବ। ଏହା ପୂର୍ବରୁ ମୋବାଇଲ୍କୁ ଯାଇଥିବା ମେସେଜ ଓ ନୋଟିସ୍ରେ ଥିବା କଷ୍ଟମର କେୟାର ନମ୍ବରକୁ କଲ୍ କରି କେୱାଇସି ଯାଞ୍ଚ ଅଧିକାରୀଙ୍କ ସହ କଥା ହୋଇଯାନ୍ତୁ। ନଚେତ୍ ମେସେଜ୍ରେ ଥିବା ଲିଙ୍କ୍ରେ କେୱାଇସି ଅପ୍ଡେଟ୍ କରନ୍ତୁ...।’’
ଏଭଳି କଲ୍ ଆପଣଙ୍କ ମୋବାଇଲକୁ ଆସୁଛି? କିମ୍ବା ମୋବାଇଲ୍, ଇ-ମେଲ୍ ବା ହ୍ବାଟସ୍ଆପ୍କୁ ବିଏସ୍ଏନ୍ଏଲ୍, ଟ୍ରାଇ ବା ଭାରତ ସରକାରଙ୍କ ଲୋଗୋ ଥିବା ନୋଟିସ୍ ମେସେଜ୍ ଆସୁଛି କି? ସାବଧାନ! ସେଥିରେ ଥିବା ଲିଙ୍କ୍ରେ କ୍ଲିକ୍ କିମ୍ବା ସେ କଷ୍ଟମର୍ କେୟାର୍ ନମ୍ବରରେ କଲ୍ କରିବା ପୂର୍ବରୁ ଥରେ ନିଶ୍ଚୟ ଯାଞ୍ଚ କରନ୍ତୁ। ନଚେତ୍ ଆପଣ ଠକାମିରେ ପଡ଼ିବା ସହ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇଯାଇ ପାରେ! ଏଭଳି ଭାବେ ଉତ୍ତରାଖଣ୍ଡ, ହରିୟାଣା ଓ ଅନ୍ୟ କିଛି ରାଜ୍ୟରେ ଠକେଇ ହେଉଛି। ଭୁବନେଶ୍ବରରେ ମଧ୍ୟ ଏଭଳି ଠକେଇ ଆରମ୍ଭ ହୋଇଗଲାଣି। ଗତକାଲି ଜଣେ ଯୁବକଙ୍କୁ ସମାନ ଉପାୟରେ ଠକେଇ ଉଦ୍ୟମ କରାଯାଇଥିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଠକମାନେ ଅନ୍ୟ ଲୋକଙ୍କୁ ଟାର୍ଗେଟ କରି ପାରନ୍ତି ବୋଲି ସାଇବର ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ସାଧାରଣ ମୋବାଇଲ ନମ୍ବର ସହିତ ବ୍ୟାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ପ୍ୟାନ୍ କାର୍ଡ଼, ଆଧାର କାର୍ଡ଼ ଆଦିର ଲିଙ୍କ୍ ରହିଥାଏ। ତେଣୁ ଲୋକେ କେବେ ନମ୍ବର ବଦଳାଇବାକୁ ଚାହାନ୍ତିନି। ଏହାର ଫାଇଦା ଉଠାଉଛନ୍ତି ସାଇବର ଠକ। ସାଧାରଣ ଲୋକଙ୍କୁ ଠକିବାକୁ ସେମାନେ ନୂଆ ଉପାୟ ବାହାର କରିଛନ୍ତି। ପ୍ରଥମେ ଘନ ଘନ କଲ୍ ଓ ମେସେଜ୍ କରି ଲୋକଙ୍କୁ ଡରାଉଛନ୍ତି ଓ ତା’ପରେ ସରକାରଙ୍କ ନାମରେ କଲ୍ କରିବାକୁ କିମ୍ବା ଲିଙ୍କ୍ରେ ଯିବାକୁ ବାଧ୍ୟ କରୁଛନ୍ତି। ଏଭଳି ହେଲେ ମୂଳ ମୋବାଇଲ ନମ୍ବର ହରାଇବାର ଭୟରେ ଲୋକେ ଠକଙ୍କର କଥା ମାନିବାକୁ ବାଧ୍ୟ ହୁଅନ୍ତି। ସେମାନେ ନିଜ କେୱାଇସି ଦେଇ ଦିଅନ୍ତି। ସେଥିରେ ଥିବା ତଥ୍ୟକୁ ବ୍ୟବହାର କରି ଠକମାନେ ସାଧାରଣ ଲୋକଙ୍କ ସର୍ବସ୍ବ ଲୁଟି ନେଉଛନ୍ତି। ସେମାନେ ପଠାଉଥିବା ନୋଟିସ୍ରେ ବିଏସ୍ଏନ୍ଏଲ ଓ ଟ୍ରାଇର ଲୋଗୋ ରହିବା ସହିତ ଭାରତ ସରକାରଙ୍କ ଯୋଗାଯୋଗ ବିଭାଗର ଏକ ଷ୍ଟାମ୍ପ ମଧ୍ୟ ରହୁଛି। ତେଣୁ ଏହାକୁ ଲୋକେ ସତ ନୋଟିସ ବୋଲି ଭାବୁଛନ୍ତି। ଏଭଳି ନୋଟିସ୍କୁ ବିଶ୍ବାସ ନ କରିବାକୁ ବିଶେଷଜ୍ଞମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/fhfssfshfhsf.jpg)