ଅନୁଗୁଳ : ତାମିଲନାଡୁର କୁନ୍ନୁରଠାରେ ଗତକାଲି ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ଓଡ଼ିଶାର ଜଣେ ବାୟୁସେନା ଅଧିକାରୀ ରହିଛନ୍ତି। ସେ ହେଲେ ଜୁନିଅର ୱାରେଣ୍ଟ ଅଫିସର୍ ରାଣାପ୍ରତାପ ଦାସ। ତାଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁରେ। ସେ ୨୦୦୬ରୁ ବାୟୁସେନାରେ ଯୋଗ ଦେଇଥିଲା ବେଳେ କିଛିଦିନ ହେଲା କୋଏମ୍ବାଟୁର ଏୟାରବେସ୍ରେ ସ୍ବତନ୍ତ୍ର ତାଲିମ ନେଉଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।
ତାଳଚେର ସହର ଉପକଣ୍ଠ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସ ଓ ସୁଷମା ଦାସଙ୍କ ଏକମାତ୍ର ପୁଅ ରାଣାପ୍ରତାପ ଦାସ ଭାରତୀୟ ବାୟୁସେନାରେ ଜୁନିଅର ୱାରେଣ୍ଟ ଅଫିସର୍ ଭାବେ କାମ କରୁଥିଲେ। ସିଡିଏସ୍ ବିପିନ ରାୱତ ଗତକାଲି ଯାଉଥିବା ବାୟୁସେନାର ଏମଆଇ ୧୭-ଭି୫ ହେଲିକପ୍ଟରରେ ସେ ବୈଷୟିକ କ୍ର୍ୟୁ ଟିମ୍ର ଜଣେ ସଦସ୍ୟ ରୂପେ ସାମିଲ ଥିଲେ। ଏହି ହେଲିକପ୍ଟରଟି ଦୁର୍ଭାଗ୍ୟଜନକ ଭାବେ ଦୁର୍ଘଟଣାର ଶିକାର ହେବାପରେ ଏଥିରେ ଯାଉଥିବା ସିଡିଏସ୍ ବିପିନ ରାୱତ ଓ ତାଙ୍କ ସହଧର୍ମିଣୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ଏହି ମୃତକଙ୍କ ମଧ୍ୟରେ ରହିଛନ୍ତି ରାଣାପ୍ରତାପ। ଗତକାଲି ସନ୍ଧ୍ୟାରେ ଏଥିନେଇ ପରିବାର ଲୋକଙ୍କୁ ସୂଚନା ମିଳିଥିଲା। ଏହା ଜଣାପଡ଼ିବା ପରେ ଏବେ ସାରା ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଗାଁ ସମେତ ତାଳଚେର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
୧୯୮୭ ମସିହାରେ ଜନ୍ମଗ୍ରହଣ କରିଥିବା ରାଣାପ୍ରତାପ ସାଉଥବଲଣ୍ଡା ନୀଳକଣ୍ଠେଶ୍ବର ବିଦ୍ୟାପୀଠରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ପରେ ବିକ୍ରମପୁରସ୍ଥିତ ଏଫସିଆଇ ହାଇସ୍କୁଲ୍ରୁ ମାଟ୍ରିକ ପାସ୍ କରିଥିଲେ। ସାଉଥ ବଲଣ୍ଡା ନୀଳକଣ୍ଠେଶ୍ବର ଜୁନିଅର କଲେଜରୁ ଯୁକ୍ତ ୨ ବିଜ୍ଞାନ ପାସ୍ କରିବା ପରେ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ପଢିଥିଲେ। ଏହି ପାଠପଢା ସମୟରେ ୨୦୦୬ ଜୁଲାଇରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ଏହାପରଠାରୁ ସେ ବାୟୁସେନାର ବିଭିନ୍ନ ସ୍ଥାନରେ ସଫଳତାର ସହ କାମ କରି ଆସୁଥିଲେ। କିଛିଦିନ ହେଲା ସେ କୋଏମ୍ବାଟୁର ଏୟାରବେସ୍ରେ ରହି ସ୍ବତନ୍ତ୍ର ତାଲିମ ନେଉଥିଲେ। ଗତକାଲି ବିପିନ ରାୱତଙ୍କ ସହ ସେ ହେଲିକପ୍ଟରରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
ଦୁର୍ଘଟଣା ପରେ ଏଥିନେଇ ବାୟୁସେନା ପକ୍ଷରୁ ରାଣାପ୍ରତାପଙ୍କ ପରିବାରକୁ ଖବର ଦିଆଯାଇଥିଲା। ତାଙ୍କ ପତ୍ନୀ ଏବେ ଏକମାତ୍ର ପୁଅ ସହ ବିହାରରେ ଥିଲାବେଳେ ଖବର ପାଇ ସେ ତାଳଚେର ଫେରୁଛନ୍ତି। କୃଷ୍ଣଚନ୍ଦ୍ରପୁରରେ ରହୁଥିବା ରାଣାପ୍ରତାପଙ୍କ ବାପା ଓ ମା’ ଆଜି ସକାଳେ ଏ ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଳଚେର ଉପଜିଲ୍ଲାପାଳ ବିଶ୍ବରଞ୍ଜନ ରଥ ତାଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରମୁଖ ରାଣାଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଅପରପକ୍ଷରେ ନୂଆଦିଲ୍ଲୀରୁ ମୃତଦେହ ଗାଁକୁ ଅଣାଯାଇ ଏଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି।