ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନେ ରିପୋର୍ଟ ଦେବେ। ଏହି ରିପୋର୍ଟ ତଥା ମରୁଡ଼ି ପରିଚାଳନା ପାଇଁ ପ୍ରଣୀତ ବିଭିନ୍ନ ମାପଦଣ୍ଡକୁ ବିଚାରକୁ ନେଇ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସରକାର ମରୁଡ଼ି ପରିସ୍ଥିତିର ବାସ୍ତବ ଆକଳନ କରିବେ। ଆଜି ସଚିବାଳୟରେ ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସମୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୧୪୪.୩ ମିଲିମିଟର ସ୍ୱାଭାବିକ ବର୍ଷା ପରିମାଣ ଥିଲା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୧୦୨୮.୩ ମିଲିମିଟର ବର୍ଷା ହୋଇଛି। ଏହି ସମୟରେ ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବୃଷ୍ଟିପାତ ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଛି। ବାକି ୯ଟି ଜିଲ୍ଲାରେ ବର୍ଷାର ସ୍ଥିତି ସ୍ୱାଭାବିକ ଠାରୁ କମ୍। ରାଜ୍ୟରେ ଜୁନ୍ରୁ ସେପ୍ଟମ୍ବର ମଧ୍ୟରେ ହାରାହାରି ୧୦.୧ ପ୍ରତିଶତ ବୃଷ୍ଟିପାତ କମ୍ ହୋଇଛି। ସେହିପରି ଖରିଫ୍ ୨୦୧୭ରେ ରାଜ୍ୟରେ ୬୧.୫୨୫ ଲକ୍ଷ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା ବେଳେ ସେପ୍ଟମ୍ବର ସୁଦ୍ଧା ୫୯.୮୦୯ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଇଛି। ତାହା ମଧ୍ୟରୁ ୩୬.୨୬୧ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୪ଟି ବ୍ଲକ୍ ସ୍ୱଳ୍ପ ବୃଷ୍ଟିପାତ ଦ୍ୱାରା ପ୍ରଭାବିତ ହୋଇଛି।
କମ୍ ବୃଷ୍ଟିପାତ ହୋଇଥିବା ଅଞ୍ଚଳରେ ଅଚଳ ଥିବା ଉଠା ଜଳସେଚନ ପଏଣ୍ଟ୍ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି କେନାଲ୍ରେ ଜଳର ସୁପରିଚାଳନା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।
୧୫ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ରିପୋର୍ଟ
/sambad/media/post_attachments/wp-content/uploads/2017/10/rain-1.jpg)