ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ଦଳେଇପୁଟ ଛକ ନିକଟରେ ଆଜି ସକାଳେ ଦୁଇଟି ଦନ୍ତା ହାତୀ ବୁଲିବା ଲୋକଙ୍କ ମଧ୍ୟରେ ଯେତିକି କୌତୁହଳ ସୃଷ୍ଟି ହୋଇଥିଲା ସେତିକି ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଆଜି ସକାଳ ପ୍ରାୟ ୬ଟା ବେଳେ ଦୁଇଟି ଦନ୍ତା ହାତୀ ରାଜପଥର ଦଳେଇପୁଟ ନିର୍ମାଣଧୀନ ଓଭରବ୍ରିଜ୍ ନିକଟରେ ପହଂଚିଯାଇଥିଲେ। ପ୍ରାୟ ୧ ଘଣ୍ଟା ଧରି ସେହି ସ୍ଥାନରେ ବୁଲିଥିଲେ। ତେବେ ହାତୀଙ୍କୁ ଏଭଳି ରାଜପଥରେ ବୁଲୁଥିବା ଦେଖି ଆଖାପାଖର ବାସିନ୍ଦା, ରାଜପଥରେ ଯାଉଥିବା ମୋଟରସାଇକଲ, ଟ୍ରକ୍, କାର୍ ଚାଳକଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି ହୋଇଥିବା ବେଳେ କେତେକ ଭୟରେ ବାଇକ୍, କାର୍ ଛାଡ଼ି ଦୌଡ଼ିପଳାଇଯାଉଥିବା ଦେଖିବାକୁ ମିଳିଥିଲା।
ଖବର ପାଇ ଖୋର୍ଦ୍ଧା ବନାଂଚଳ କର୍ମଚାରୀ ଓ ଅଧିକାରୀ ସେଠାରେ ପହଂଚି ହାତୀମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ହାତୀ ଦୁଇଟି ସେମାନଙ୍କ ସହ ବେଶ୍ କିଛି ସମୟ ଛକାପଂଝା ଖେଳି ନୟାନ୍ତ କରିଦେଇଥିଲେ। ଶେଷରେ ବନ ବିଭାଗ କର୍ମଚାରୀ ସେମାନଙ୍କୁ ନିକଟସ୍ଥ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ଖୋର୍ଦ୍ଧା ସହରକୁ ୪ ଥର ହାତୀ ପଶିଆସି ଥିଲେ। ଏଥିରେ କୌଣସି ଧନଜୀବନ କ୍ଷତିଗ୍ରସ୍ତ ହୋଇନଥିଲା କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାଚୀରର ଏକ ଅଂଶ ଭାଂଗିଯାଇଥିଲା। ଏହାବ୍ୟତୀତ ମାତ୍ର କିଛି ମାସ ବ୍ୟବଧାନରେ ମଳିପଡ଼ା ଠାରୁ ଦଳେଇପୁଟ ମଧ୍ୟରେ ହାତୀ ୩ଥର ରାଜପଥ ଅତିକ୍ରମ କରିଛି। ଏହି ଦୃଷ୍ଟିରୁ ଏହି ଅଂଚଳରେ ରାତିରେ ଗାଡ଼ିଚଳାଇବା ଉପରେ ଅଧିକ ସତର୍କତା ନେଇ ପଦକ୍ଷେପ ସହ ସ୍ଥାନସ୍ଥାନରେ ସୂଚନା ଫଳକ ଲଗାଇବାକୁ ପଶୁ ଓ ପ୍ରକୃତିପ୍ରେମୀଙ୍କ ପକ୍ଷରୁ ଦାବି କରାଯାଇଛି। ନଚେତ୍ ହାତୀଙ୍କ ସହ ସାଧାରଣ ଲୋକଙ୍କ ଜୀବନ ବିପଦଗ୍ରସ୍ତ ହେବ ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/NH-re-Hati.jpeg)