ବାଲେଶ୍ବର: ଦକ୍ଷିଣପୂର୍ବ ରେଳପଥର ବାଲେଶ୍ବର-ହଳଦୀପଦା ଅମରାପୋଲ ନିକଟରେ ମାଟି ଧସି ପ୍ରଭାବିତ ହୋଇଥିବା ରେଳ ଧାରଣା ମରାମତି କାମ ୩୦ ଘଣ୍ଟା ପରେ ଆଜି ପୂର୍ବାହ୍ନ ୧୧ଟା ୪୫ରେ ଶେଷ ହୋଇଛି। ପ୍ରଥମେ ଏହି ଟ୍ରାକ୍‌ରେ ଏର୍ଣ୍ଣାକୁଲମ୍‌-ପାଟନା ଏକ୍ସପ୍ରେସ୍‌ ଅତିକ୍ରମ କରିଛି। ନୂଆ କାମ ହୋଇଥିବାରୁ ସମସ୍ତ ଟ୍ରେନ୍‌ ସ୍ବଳ୍ପ ବେଗରେ ଯିବା ପାଇଁ ରେଳବାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ରାତିରେ ନିଧିପଣ୍ଡାସ୍ଥିତ ଅମରାପୋଲ ନିକଟରେ ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ରେଳ ଟ୍ରାକ୍‌ ଦବି ଯାଇଥିଲା। ବୁଧବାର ଭୋର୍‌ ସମୟରେ ଅପ୍‌ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଓ ଡାଉନ୍‌ ଲାଇନ୍‌ରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଅତିକ୍ରମ କରୁଥିବା ବେଳେ ଡାଉନ୍‌ ଟ୍ରାକ୍‌ରେ କିଛି ଗଡ଼ବଡ଼ ଥିବା ଲୋକୋ ପାଇଲଟ୍‌ ଅନୁଭବ କରିଥିଲେ। ଏ ସଂକ୍ରାନ୍ତରେ ସେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ରେଳ ବିଭାଗର ଟେକ୍ନିକାଲ ଓ ଇଞ୍ଜିନିୟରିଂ ଟିମ୍‌ ପହଞ୍ଚି ଟ୍ରାକ୍‌ ଯାଞ୍ଚ କରିଥିଲେ। ପ୍ରବଳ ବର୍ଷା ଯୋଗୁଁ ଡାଉନ୍‌ ଟ୍ରାକ୍‌ ଦବି ଯାଇଥିବା ଜଣାପଡ଼ିବା ପରେ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇ କେବଳ ଅପ୍‌ ଲାଇନ୍‌ରେ ଟ୍ରେନ୍‌ଗୁଡ଼ିକୁ ଛଡ଼ାଯାଇଥିଲା। ମରାମତି ପରେ ସନ୍ଧ୍ୟାରେ ଡାଉନ୍‌ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌କୁ ପରୀକ୍ଷାମୂଳକ ଭାବେ ଛଡ଼ାଯାଇଥିଲା। କିନ୍ତୁ ଟ୍ରାକ୍‌ ପୂର୍ବଭଳି ଦବିବା ଆରମ୍ଭ କରିଥିଲା ଓ ୩ଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଫଳରେ ପୁଣି ଥରେ ମରାମତି କାମ ଆରମ୍ଭ ହୋଇଥିଲା। ଲାଇନ୍‌ଚ୍ୟୁତ ବଗିଗୁଡ଼ିକୁ ଟ୍ରାକ୍‌ କଡ଼ରୁ ହଟାଯାଇ ରାତିସାରା ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଥିଲା। ଆଜି ସକାଳ ସୁଦ୍ଧା କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଅପ୍‌ ଓ ଡାଉନ୍‌ ଲାଇନ୍‌ରେ ଆସିବାକୁ ଥିବା ୨୩ଟି ଟ୍ରେନ୍‌କୁ ବାତିଲ କରାଯାଇଥିଲା।

ଘଟଣାସ୍ଥଳରେ ଦକ୍ଷିଣପୂର୍ବ ରେଳବାଇର ଜିଏମ୍‌ ଅନୀଲ କୁମାର ମିଶ୍ର, ଡିଆର୍‌ଏମ୍‌ ଜେ.ଏସ୍‌ ବିନ୍ଦ୍ରାଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମରାମତି କାର୍ଯ୍ୟ ନିରୀକ୍ଷଣ କରିଥିଲେ। ଅପରପକ୍ଷରେ ଦୁଇଦିନ ଧରି ରେଳସେବା ପ୍ରଭାବିତ ହୋଇଥିବାରୁ ହଜାର ହଜାର ରେଳଯାତ୍ରୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ପ୍ରତିଦିନ ଉତ୍ତର ବାଲେଶ୍ବର ଓ ପଶ୍ଚିମବଙ୍ଗରୁ ଟ୍ରେନ୍‌ ଯୋଗେ ରୋଗୀ, ଶ୍ରମିକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକ ବିଭିନ୍ନ କାମରେ ବାଲେଶ୍ବର ସଦର ମହକୁମା ସମେତ କଟକ, ଭୁବନେଶ୍ବର ଯିବାଆସିବା କରିଥାନ୍ତି। ମାତ୍ର ଟ୍ରେନ୍ ନଥିବାରୁ ଆଜି ବସ୍‌ ଓ ଅନ୍ୟାନ୍ୟ ଯାନବାହନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା।