ଭୁବନେଶ୍ବର : ରାଜ୍ୟର ୭ଟି ଜିଲ୍ଲାରେ ୩୯୪୪.୪୪୮ ଏକର ରାସ୍ତାକଡ଼ ଜମିର କିସମ ପରିବର୍ତନ କରାଯାଇଛି। ଏଥିରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୫୪୬.୮୮୮ ଏକର, ବାଲେଶ୍ବର ୧୪୮୯.୦୯ ଏକର, ଯାଜପୁର ୪୧୦.୪୨ ଏକର, ମୟୂରଭଞ୍ଜ ୨୫୪.୮୨ ଏକର, ନୟାଗଡ଼ରେ ୧୮୧.୬୧ ଏକର ଓ ଦେବଗଡ଼ ଜିଲ୍ଲାରେ ୫୧.୬୨ ଏକର ଜମି ରହିଛି। ନବରଙ୍ଗପୁର ଜିଲ୍ଲାରେ ୯୩.୭୫ ଏକର ରାସ୍ତାକଡ଼ ଜମିର କିଣାବିଣା ହୋଇଥିଲେ ହେଁ କିସମ ପରିବର୍ତନ ତଥ୍ୟ ଉପଲବ୍ଧ ନ ଥିବା ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶା ଭୂସଂସ୍କାର ଆଇନ ୧୯୬୦ ଓ ରାଜସ୍ବ ବିଭାଗର ପତ୍ର ସଂଖ୍ୟା ୩୮୯୭୧, ୨୦୦୬ ମସିହା ଅନୁସାରେ ଚାଷ ଜମିର କିସମ ପରିବର୍ତନ କରାଯାଉଛି। ଚାଷ ଜମିର କିସମ ପରିବର୍ତନ ସମୟରେ ନୂଆ କଟକଣା ପ୍ରୟୋଗ ଲାଗି କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ। ହେଲେ ଗତ ୧୫ବର୍ଷରେ ସହରତଳି ଅଞ୍ଚଳରେ ଥିବା ରାସ୍ତାକଡ଼ ଚାଷ ଜମିରୁ କେତେ କିଣାବିକା ହୋଇଛି ତାହାର ତଥ୍ୟ ସମସ୍ତ ଜିଲ୍ଲାମାନଙ୍କରୁ ଉପଲବ୍ଧ ହୋଇନାହିଁ।