ଅଜଣା ରୋଗ ଆତଙ୍କ ଦୁଇ ଦିନରେ ୨ ମୃତ, ୩ ଅସୁସ୍ଥ

ଲମତାପୁଟ: ବର୍ଷା ଆରମ୍ଭରୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଟିକରପଡ଼ା ଅଂଚଳରେ ଅଜଣା ରୋଗକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଗତ ଦୁଇ ଦିନ ମଧ୍ୟରେ ଗାଁର ଦୁଇ ଜଣଙ୍କ ଅଚାନକ ମୃତ୍ୟୁ ହୋଇଥିବାବେଳେ ୩ଜଣରୁ ଅଧିକ ଅସୁସ୍ଥ ରହିଛନ୍ତି। ସେମାନଙ୍କ ରୋଗ ଚିହ୍ନଟ ହୋଇପାରି ନାହିଁ। ଏତେ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହେବା ଏବଂ ଦୁଇ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଟିକରପଡ଼ା ଏକ ଦୁର୍ଗମ ଗାଁ ରୂପେ ପରିଚିତ। ମୌସୁମୀ ବର୍ଷା ଯୋଗୁଁ ଗାଁର ପରିବେଶ ସନ୍ତସନ୍ତିଆ ହୋଇ ରହିଛି। ପାଗ ପରିବର୍ତନ ହେବା ପରେ ଗାଁର ବୁଦୁରି କିର୍ସାନି ଗତକାଲି ହଠାତ୍ ଅସୁସ୍ଥ ହୋଇଯାଇଥିଲେ। ଜ୍ବର ସାଙ୍ଗକୁ ମୁଣ୍ଡବ୍ୟଥା ବଢ଼ିବାରୁ ପୁଅ ଧନୁର୍ଯ୍ୟୟ କିର୍ସାନି କୋରାପୁଟ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଆଜି ତୁଲସୀ କ୍ରିର୍ସାନୀ ହଠାତ୍ ଅସୁସ୍ଥ ହେବାର କିଛି ସମୟ ପରେ ପ୍ର‌ାଣ ହରାଇଥିଲେ। ୨୪ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା ଗ୍ରାମବାସୀଙ୍କୁ ଆତଙ୍କିତ କରିଥିଲା। ଅନ୍ୟପଟେ ଗାଁର ଡାଲିମା କ୍ରିର୍ସାନୀ, ହରିବଲା ମୁଦୁଲି, ଗୁରୁବାରି କ୍ରିର୍ସାନୀ ଅସୁସ୍ଥ ଅଛନ୍ତି। ଏମାନେ ଚିକିତ୍ସା ପାଇଁ ମେଡିକାଲକୁ ଯାଇପାରି ନ ଥିବା ବେଳେ କେଉଁ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ତାହା ଚିହ୍ନଟ ହୋଇପାରି ନାହିଁ। ସେହିପରି ଗାଁର ଗୃହପାଳିତ ପଶୁ ବି ଅସ୍ବାଭାବିକ ଭାବେ ମରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର