ଅଟୋକୁ ପିଟିଲା ବସ୍, ୪ ମୃତ

ନବରଙ୍ଗପୁର/ବୋରିଗୁମ୍ମା/ଜୟପୁର: ଆଜି ଅପରାହ୍ନରେ ନବରଂଗପୁର-ବୋରିଗୁମ୍ମା ଜାତୀୟ ରାଜପଥର ମଝିଆ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ଜୀବନଦୀପ ଲିଭି ଯାଇଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଅଟୋରେ ଥିବା ଚାଳକଙ୍କ ସମେତ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଉମରକୋଟରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାମଧେନୁ ନାମକ ଏକ ଘରୋଇ ଯାତ୍ରୀବାହୀ ବସ (ଓଡି-୩୨ବି-୨୫୯୯)ଦ୍ରୁତଗତିରେ ଆସି ଅଟୋରିକ୍ସା (ଓଡି-୨୪ଡି-୪୫୪୬)କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ଅଟୋଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଆଉ ଅଟୋରେ ଥିବା ଚାଳକଙ୍କ ସମେତ ତିନି ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅଟୋଟି ନବରଂଗପୁରରୁ କାଳିଆଗୁଡ଼ା ଅଭିମୁଖେ ଯାତ୍ରା କରୁଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

ବୋରିଗୁମ୍ମା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୋରିଗୁମ୍ମା ଆଣିବା ସହ ଦୁଇ ଆହତଙ୍କୁ ବୋରିଗୁମ୍ମା ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁଇ ଆହତ ଲକ୍ଷ୍ମୀ ମାଝୀ ଓ ଲବକୁଶ ମାଝୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବୋରିଗୁମ୍ମାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଆହତ ଦ୍ବୟ ବସ୍‌ରେ ଆସିବା ପରେ ଅଟୋରେ ଯାଉଥିଲେ। ଲବକୁଶ ମାଝୀଙ୍କ ଗ୍ରାମ ଚାରଗାଁ ହୋଇଥିବା ବେଳେ ଲକ୍ଷ୍ମୀ ମାଝୀଙ୍କ ଘର ନବରଂଗପୁରର ଚାଉଁରିଆଗୁଡ଼ା ବୋଲି ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର