ଅଧୁରା ରହିଲା ବିଜୁ ପକ୍କା ଘର : ଟଙ୍କା ଅଭାବରୁ ଆତ୍ମହତ୍ୟା କଲେ ହିତାଧିକାରୀ

ବୁର୍ଲା : ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଶେଷରେ ବିଜୁ ପକ୍କା ଘର ପାଇଁ ହିତାଧିକାରୀ ଭାବେ ତାଲିକାଭୁକ୍ତ ହେଲେ। କାର୍ଯ୍ୟାଦେଶ ପାଇ ଘର କାମ ବି ଆରମ୍ଭ କଲେ। ପ୍ରଥମ ଦୁଇଟି କିସ୍ତି ପାଇ ସାରିଥିବା ବେଳେ ଶେଷ କିସ୍ତି ପାଇବାରେ ବିଳମ୍ବ ହେବାରୁ ଦୋକାନୀଙ୍କ କରଜ ପରିଶୋଧ କରି ନ ପାରି ଶେଷରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ସର୍ବେ ଗାଁର ହିତାଧିକାରୀ ରବୀନ୍ଦ୍ର ଭୋଇ (୫୦)। ଗତ ଶୁକ୍ରବାର ରାତି ୮ଟାରେ ରବୀନ୍ଦ୍ର ବିଷ ପିଇ ଗୁରୁତର ଅବସ୍ଥାରେ ନିଜ ଜମିରେ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କୁଚିଣ୍ଡା ଡାକ୍ତରଖାନା ଓ ପରେ ବୁର୍ଲା ମେଡିକାଲରେ ଭର୍ତ୍ତିି କରିଥିଲେ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଏ ନେଇ ମେଡିକାଲ୍‌ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତକଙ୍କ ଭାଇ ରମଣୀକାନ୍ତ ଭୋଇଙ୍କ କହିବାନୁସାରେ, ରବୀନ୍ଦ୍ର ତାଙ୍କ ନିର୍ମାଣାଧୀନ ବିଜୁ ପକ୍କା ଘରର ଶେଷ କିସ୍ତି ବାବାଦ ପାଇବାକୁ ଥିବା ୩୦ ହଜାର ଟଙ୍କାକୁ ଅପେକ୍ଷ କରିଥିଲେ। ଦୋକାନୀ ତାଙ୍କୁ ବାରମ୍ବାର ଟଙ୍କା ମାଗିବାରୁ ଶେଷରେ ଅନନ୍ୟୋପାୟ ହୋଇ ବିଷ ପିଇ ଦେଇଥିବା ରମଣୀକାନ୍ତ ପୁଲିସ୍‌ ଆଗରେ କହିଛନ୍ତି।

ସମ୍ବନ୍ଧିତ ଖବର