ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ଚଢ଼ଉ୧ କୁଇଣ୍ଟାଲ ଗ‌ଞ୍ଜେଇ ଜବତ, ୮ ଗିରଫ

ସମ୍ବଲପୁର: ବୌଦ୍ଧରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ରାକେଟକୁ ଧରିବାରେ ସମ୍ବଲପୁର ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ରାଜ୍ୟ ବାହାରକୁ ଯାଉଥିବା ନେଇ ସୂଚନା ମିଳିବା ପରେ ଏସ୍‌ଡିପିଓ ତପନ ମହାନ୍ତିଙ୍କ ନେତୃତ୍ବରେ ସମ୍ବଲପୁର ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ଓ ସଦର ଥାନା ପୁଲିସ୍‌ ୫୫ ନଂ ଜାତୀୟ ରାଜପଥର ମାନେଶ୍ବର ଛକରେ ଚଢ଼ଉ କରି ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଗ‌ଞ୍ଜେଇ ଚାଲାଣରେ ବ୍ୟବୃହତ କାର (ଓଡି ୦ ୭ ଏ ୫୯୯୫), ୨ଟି ବାଇକ୍‌ (ଓଡି ୨୭ ବି ୦୬୧୭, ଓଡି ୩୧ ଏଫ ୫୪୦୪), ୮ଟି ମୋବାଇଲ ଓ ନଗଦ ୩ ହଜାର ଟଙ୍କାକୁ ପୁଲିସ୍‌ ଜବତ କରିଥିବା ସମୟରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ୫ ଜଣ ଗଞ୍ଜେଇ ବେପାରୀଙ୍କ ସହ ମୋଟ ୮ ଜଣଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ସମ୍ବଲପୁର ପୁଲିସ୍‌ ଏକ ମାମଲା ରୁଜୁ କରି ସମସ୍ତ ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସମୟରେ ଏହି ଘଟଣାର କିଙ୍ଗ୍‌ପିନ୍‌କୁ ଧରିବା ପାଇଁ ଅଭିଯୁକ୍ତଙ୍କୁ ପୁଲିସ୍‌ ରିମାଣ୍ଡରେ ଆଣିପାରେ ବୋଲି ସୂଚନା ମିଳିଛି।

ଜବତ କାର୍‌ର ଡିକି ଓ ପଛ ସିଟ୍‌ରୁ ୫୦ କିଗ୍ରା ଏବଂ ପ୍ରତି ବାଇକ୍‌ରୁ ୨୫ କେଜି ଲେଖାଏଁ ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତମାନେ ଗଞ୍ଜେଇ କିଲୋ ପ୍ରତି ୪ ହଜାରରୁ ୬ ହଜାର ଟଙ୍କା ଯାଏ ବିକ୍ରି କରିଥାନ୍ତେ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲସ୍‌ତଲା ଗ୍ରାମର ରଞ୍ଜନ ହରିପାଲ୍‌(୩୨), ବିଏମ୍‌ପୁର ଥାନା ରଥପୁରର ବିଭୂ ରାଜହଂସ(୨୭), ମାଣିକପୁରର ଦିଲ୍ଲୀପ ଭୋରାସାଗର(୩୫), ବୌଦ୍ଧ ଜିଲ୍ଲା ମନୋମୁଣ୍ଡା ଥାନା ଭାଲିଆପଦର ଗ୍ରାମର ରସାନନ୍ଦ ମାଝୀ (୨୨), ମଝିପଡ଼ାର ଦୟାନନ୍ଦ ମଲ୍ଲିକ(୨୦), ମଲ୍ଲିକ ପଡ଼ାର ପ୍ରଶାନ୍ତ ମାଝୀ(୩୫), ଟୁନିଖମାରର ଅନାଡ଼ି ଭୁକ୍ତା(୨୮), ବାଉଁଶୁଣି ଥାନା ବନପାଲିର କାର୍ତ୍ତିକ ମେହେର(୩୨)କୁ ଗିରଫ କରିଛି। ଅଭିଯୁକ୍ତମାନେ ଏତେ ପରିମାଣର ଗଞ୍ଜେଇ ନେଇ ଯାଉଥିବାରୁ ଏମାନଙ୍କ ନାମରେ ପୂର୍ବରୁ କେଉଁ କେଉଁ ଥାନାରେ ମାମଲା ରହିଛି ତାହା ପୁଲିସ୍‌ ଯାଞ୍ଚ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର