ଅନ୍ଧବିଶ୍ବାସର ନଗ୍ନ ଚିତ୍ର : ମୃତକକୁ ବଂଚାଇବା ପାଇଁ ଉଦଳା ଡାକ୍ତରଖାନାରେ ଝଡ଼ାଫୁଙ୍କା

ଉଦଳା/ଉଦଳା(୧) : ପୁଣି ସମ୍ନାକୁ ଆସିଲା ଡାକ୍ତରଖାନାରେ ମୃତକକୁ ବଂଚାଇବା ପାଇଁ ଝଡାଫୁଙ୍କା ଭଳି ଅନ୍ଧ ବିଶ୍ବାସର ଚିତ୍ର। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକ ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଗୁଣିଆର ସହାୟତା ନେଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଉଦଳା ଡାକ୍ତରଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ରାତି ପ୍ରାୟ ୧୦ଟା ସମୟରେ ସମସ୍ତଙ୍କ ଉପସ୍ଥିତିରେ ଚାଲିଥିଲା ଝଡାଫୁଙ୍କା। ସମସ୍ତେ ନିରବଦ୍ରଷ୍ଟା ସାଜିଥିଲେ। ସୂଚନାଯୋଗ୍ୟ, ଉଦଳା ଥାନା କୋଚିଳାଦିହା ପଂଚାୟତ କାଠପାଳ ଗାଁର ରମାକାନ୍ତ ମାଝୀଙ୍କ ସ୍ତ୍ରୀ ଆରତୀ ମାଝୀ (୫୦)ଙ୍କୁ ଗତକାଲି ସନ୍ଧ୍ୟାରେ କୁଟା କାଢୁଥିବା ସମୟରେ ସାପ କାମୁଡି ଥିଲା। ପରିବାର ଲୋକେ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ମୃତକକୁ ବଂଚାଇବା ପାଇଁ ରାତି ୧୦ଟାରେ ଗୁଣିଆ ଡକାଇ ଝଡାଫୁଙ୍କା କରାଇଥିଲେ। ହେଲେ ଅଧାଘଂଟା ଏଭଳି କରିବା ପରେ ଗୁଣିଆ ଅସଫଳ ହୋଇଥିଲେ। ଆଜି ମୃତ ଦେହକୁ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୁଲିସ। ଏନେଇ ଏକ ଅପମୃତ୍ୟୁ ମାମଲା ଦାଏର କରିଛି।

ସମ୍ବନ୍ଧିତ ଖବର